ଦର ବୃଦ୍ଧିରେ ରେକର୍ଡ ଭାଙ୍ଗିଲା ସୁନା

ଭୁବନେଶ୍ୱର : ହୁ ହୁ ହୋଇ ବଢ଼ୁଛି ସୁନାଦର। ଦର ବୃଦ୍ଧିରେ ରେକର୍ଡ ଭାଙ୍ଗିଲା ସୁନା। ଘରୋଇ ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୬୮ ହଜାର ୭୩୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୬୩ ହଜାର ଟଙ୍କା ରହିଛି। ସୁନାର ଏହି ଦର ସର୍ବକାଳୀନ ରେକର୍ଡ କୁହାଯାଉଛି। ମାସକ ମଧ୍ୟରେ ବଜାରରେ ସୁନା ମୂଲ୍ୟ ୪ ହଜାର ଟଙ୍କା ବୃଦ୍ଧି ହୋଇଛି। ସୁନା ଦର ଦିନକୁ ଦିନ ବଢ଼ିବା ନେଇ ଚିନ୍ତାରେ ଗ୍ରାହକ।  ବିବାହ ଋତୁ ଥିବାରୁ ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି।  ସୁନାକୁ ବଳିପଡ଼ିଛି ରୁପା। ରୁପା ମୂଲ୍ୟ ୭୯ ହଜାର ଟଙ୍କା ଛୁଇଁଛି। ରୁପା ଦରରେ ଏତେ ମାତ୍ରାରେ ବୃଦ୍ଧି ମଧ୍ୟ ଆଉ ଏକ ବଡ଼ ରେକର୍ଡ। ଆଗକୁ ସୁନା ଦର ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ଷ ଶେଷ ସୁଦ୍ଧା ସୁନା ୧୦ ଗ୍ରାମ ପିଛା ୭୦ ହଜାର ଟଙ୍କା ଛୁଇଁପାରେ ବୋଲି କୁହାଯାଉଛି। ସେହିଭଳି ରୂପା ଦର ମଧ୍ୟ କିଲୋଗ୍ରାମ ପିଛା ୭୫ହଜାର ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି।