ରୁପା କେଜି ୯୫ ହଜାର ଟଙ୍କା, ଧନତେରାସ ପୂର୍ବରୁ ସୁନା ଛୁଇଁବ ୮୦ ହଜାର

1 min read

ଭୁବନେଶ୍ବର: ଆକାଶଛୁଆଁ ହେଲା ରୁପା ଦର । ରୁପା କିଲୋ ଏବେ ୯୫ ହଜାର ଟଙ୍କା । ଆଗାମୀ ଦିନରେ ୧ ଲକ୍ଷ ପାର କରିବ ନେଇ ଆକଳନ କରାଯାଉଛି । ଇଭି ଗାଡ଼ି ଉତ୍ପାଦନ, ସୌରଶକ୍ତି ପ୍ୟାନେଲ, ପବନ ଚାଳିତ ବିଦ୍ୟୁତ ଉତ୍ପାଦନ ଟର୍ବାଇନରେ ବ୍ୟବହାର ହେଉଥିବାରୁ ଅନ୍ତରାଷ୍ଟ୍ରୀୟ ବଜାରରେ ବଢ଼ି ଚାଲିଛି ରୁପା ଦର । ଏହାସହ ପେରୁ ଓ ମେକ୍ସିକୋରେ ରୁପା ଖଣି ଉତ୍ପାଦନ ହ୍ରାସ, ଦର ବୃଦ୍ଧିର ଆଉ ଗୋଟିଏ କାରଣ ହୋଇଛି । ସେପଟେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଯୋଗୁ ସୁନା ଦର ମଧ୍ୟ ବୃଦ୍ଧି ପାଇଛି । ଆସନ୍ତା ଧନତେରାସ୍ ବେଳକୁ ୧୦ ଗ୍ରାମ ସୁନା ଦର ୮୦ ହଜାର ଟଙ୍କା ହେବ ବୋଲି ଆକଳନ କରିଛନ୍ତି ସୁନା ବେପାରୀ ଓ ବଜାର ବିଶେଷଜ୍ଞ ।

ହୁ ହୁ ହୋଇ ବଢୁଛି ରୁପା ଦର । ସୁନାଠୁ ବଳିଲାଣି ରୁପା ଚାହିଦା । କିଲୋ ପହଞ୍ଚିଲାଣି ୯୫ ହଜାର ଟଙ୍କାରେ । ଆର୍ଥିକ ବର୍ଷ ଅଧାରୁ ଚାହିଦା ବଢିଲାଣି ୨୪ ପ୍ରତିଶତ । ଆଗକୁ ଆହୁରି ବଢି ୧ ଲକ୍ଷ ପାର୍ କରିବ ବୋଲି କହିଲେଣି ଗହଣା ଦୋକାନୀ । ରୁପା ଚାହିଦା ହଠାତ ବଢିବାର ମୂଳରେ କେତୋଟି କାରଣ ରହିଛି । ଇଭି ଗାଡ଼ି ଉତ୍ପାଦନ, ସୌରଶକ୍ତି ପ୍ୟାନେଲ ଓ ପବନ ଚାଳିତ ବିଦ୍ୟୁତ ଶକ୍ତି ଉତ୍ପାଦନ କରୁଥିବା ଟର୍ବାଇନ୍ ତିଆରିରେ ରୁପା ବ୍ୟବହାର ଯୋଗୁଁ ବଢୁଛି ଚାହିଦା । ସେପଟେ ଚାହିଦା ତୁଳନାରେ ରୁପା ଉତ୍ପାଦନ ମଧ୍ଯ ହ୍ରାସ ପାଇଛି । ପରିବେଶ ପ୍ରଦୂଷଣ ପାଇଁ ମେକ୍ସିକୋ ରୁପା ଖଣିରୁ ଉତ୍ତୋଳନ ହ୍ରାସ କରିଥିବାବେଳେ ପେରୁ ରୁପା ଖଣି ଉତ୍ତୋଳନ ସମ୍ପୂର୍ଣ୍ଣ ବନ୍ଦ କରିଛି ।

ସେପଟେ ୨୪ କ୍ୟାରେଟ୍ ସୁନା ଦର ୭୮ ହଜାରରେ ପହଞ୍ଚିଲାଣି । ଆସନ୍ତା ଧନତେରାସ ବେଳକୁ ୮୦ ହଜାର ଟଙ୍କା ପାର୍ କରିବ । ସେହିପରି ୨୨ କ୍ୟାରେଟ୍ ସୁନାଦର ୧୦ ଗ୍ରାମ ପିଛା ରହିଛି ୭୦ ହଜାର ୬୦୦ ଟଙ୍କା । ଆଉ ୧୫ ଦିନ ପରେ ୭୪ ହଜାର ପାର୍ କରିବ । ଗରିବ ଲୋକ ସୁନା କିଣି ନ ୟପାରି ରୁପା ଗହଣା କିଣୁଥିଲେ । ଏବେ ରୁପା ଦର ବୃଦ୍ଧି ଯୋଗୁଁ ଗହଣା କାରବାର ପ୍ରଭାବିତ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଦୋକାନୀ ।

ଉଭୟ ସୁନା ଓ ରୁପା ଏବର୍ଷ ଅନ୍ତରାଷ୍ଟ୍ରୀୟ ବଜାରରେ ଚଢା ରହିବ । କୋଭିଡ ପରେ ଦେଶର ଅର୍ଥନୀତିକୁ ଆହୁରି ମଜଭୁତ କରିବାକୁ ଚୀନ କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣିବାରେ ଲାଗିଛି । ଯାହା ଫଳରେ ସୁନା ଦର ତଳକୁ ଖସୁନି । ସେପଟେ ଆମେରିକାର ବେରୋଜଗାରୀ ବୃଦ୍ଧି ଓ ମାନ୍ଦାବସ୍ଥା ଯୋଗୁଁ ସେଠାକାର ଫେଡେରାଲ୍ ରିଜର୍ଭ ସୁଧ ହାର ୫୦ ବେସିସ୍ ପଏଣ୍ଟ କମାଇଛି । ଫଳରେ ହଳଦିଆ ଧାତବ ଓ ଧଳା ଧାତବ ପଦାର୍ଥ କିଣିବା ପାଇଁ ଚାହିଦା ବୃଦ୍ଧି ପାଇଛି । ଦୁନିଆରେ ଭାରତ ବେଶି ସୁନା ଆମଦାନୀ କରୁଛି । ଏଥିପାଇଁ ଭାରତର ବୈଦେଶିକ ମୁଦ୍ରା ବି ଗଣିବାକୁ ପଡୁଛି । ଇସ୍ରାଏଲ-ହିଜବୁଲ୍ଲା ଲଢେଇ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ସୃଷ୍ଟି କରି ରଖିଛି । ଦକ୍ଷିଣ ଆଫ୍ରିକାରୁ ସୁନା ଆମଦାନୀ ବି ମହଙ୍ଗା ପଡ଼ୁଛି । ସୁନା ଚାହିଦା ଭାରତରେ ଅଧିକ ଥିବାରୁ ଜିଏସଟି କମ୍ ହେଲେ ବି ଦର କମୁନି । ଚୀନ ବହୁଳ ମାତ୍ରାରେ ଭାରତ ବଜାରକୁ ଲକ୍ଷ୍ୟ ରଖି ସୁନାର ବମ୍ଫର ଷ୍ଟକ୍ ଗଚ୍ଛିତ ରଖୁଛି । ଏହାର ଫାଇଦା ଭବିଷ୍ୟତରେ ଉଠାଇବାକୁ ଚୀନ ଲକ୍ଷ୍ୟ ରଖିଛି ।

ଆଗରୁ ଦଶହରା ସହିତ ଆସୁଛି ପାର୍ବଣ ଋତୁ । ଏହି ସମୟରେ ସୁନା ଓ ରୁପା ଚାହିଦା ଭାରତ ବଜାରରେ ଅଧିକ ରହିବ । କିନ୍ତୁ ସବୁ ବର୍ଷ ପରି ଗ୍ରାହକଙ୍କୁ ଆକୃଷ୍ଟ କଲା ଭଳି ରିହାତି ମିଳି ନପାରେ । ସେପଟେ ଅକ୍ଷୟଶକ୍ତି ଓ ଇଭି ଆଗାମୀ ଦିନର ଭବିଷ୍ୟତ । ଚାହିଦା ତୁଳନାରେ ଯଦି ଉତ୍ପାଦନ ନ ହେଲା ତା’ହେଲେ ରକେଟ୍ ଗତିରେ ରୁପା ଦର ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।