ସୀମା ଟପିଲେ ମଧ୍ୟପ୍ରଦେଶ ମନ୍ତ୍ରୀ ଗୋବିନ୍ଦ ସିଂ ରାଜପୁତ, ନିଜ ସପକ୍ଷରେ ସର୍ବାଧିକ ଭୋଟ ଆସିଥିବା ବୁଥ ମ୍ୟାନେଜରଙ୍କୁ  ଦେବେ ୨୫ ଲକ୍ଷ ଟଙ୍କା

ମଧ୍ୟପ୍ରଦେଶ: ଯେଉଁ ବୁଥରୁ ସର୍ବାଧିକ ଭୋଟ ଆସିବ ସେହି ବୁଥର କାର୍ଯ୍ୟକର୍ତ୍ତାଙ୍କୁ ଦିଆଯିବ ୨୫ ଲକ୍ଷ ଟଙ୍କା । ଏକଥା କେଉଁ ସାଧାରଣ ନେତା କହିନାହାନ୍ତି । ଏହା କହିଛନ୍ତି ମଧ୍ୟପ୍ରଦେଶର ଜଣେ ବରିଷ୍ଠ ମନ୍ତ୍ରୀ ଗୋବିନ୍ଦ ସିଂ ରାଜପୁତ । ଏହାକୁ ନେଇ ଅଡୁଆରେ ପଡିଛନ୍ତି ମନ୍ତ୍ରୀ । ନିର୍ବାଚନ ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଛି ।

ମଧ୍ୟପ୍ରଦେଶର ସୁର୍ଖି ବିଧାନସଭା ଆସନରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ଗୋବିନ୍ଦ । ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ଆଧାରରେ ଏହି ମାମଲା ଦାୟର ହୋଇଛି । ସଗର ଜିଲ୍ଲା ରାହତଗଡ଼ ଥାନାରେ ଗୋବିନ୍ଦଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଓ ଜନପ୍ରତିନିଧି ଆଇନର ଧାରା ୧୨୩ ଅନୁସାରେ ମାମଲା ରୁଜୁ ହୋଇଛି । ଗୋବିନ୍ଦ ସିଂ ରାଜପୁତ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ନିକଟତର ବୋଲି ସୂଚନା ମିଳିଛି ।

ଗୋବିନ୍ଦଙ୍କ ବିରୋଧରେ ରାଜ୍ୟ କଂଗ୍ରେସ ନେତା ସନ୍ଦୀପ ସିଂ ବଘେଲ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ ଦାୟର କରିଛନ୍ତି । ପୂର୍ବରୁ ବି ବିଜେପି ନେତା କୈଳାସ ବିଜୟଭର୍ଗିୟଙ୍କ ଏକ ଅଡିଓ ବି ଭାଇରାଲ ହୋଇଥିଲା । ଯେଉଁ ବୁଥରୁ କଂଗ୍ରେସକୁ ଗୋଟିଏ ବି ଭୋଟ ଯିବ ନାହିଁ ସେହି ବୁଥର ଇନଚାର୍ଜଙ୍କୁ ୫୧ ହଜାର ଟଙ୍କା ଦିଆଯିବ ବୋଲି ସେ କହିଥିବା ଅଭିଯୋଗ ହୋଇଥିଲା ।