ଗୋବାରେ ରାସ୍ତା ନିର୍ମାଣରେ ମହାଦୁର୍ନୀତି, ଦୁର୍ନୀତିକୁ ବିରୋଧ କଲେ ମିଳୁଛି ଧମକ

ବ୍ରହ୍ମପୁର : ହାତ ମାରିଦେଲେ ବାହାରି ଯାଉଛି ଚିପ୍ସ । ଖୋଳପା ଭଳି ରାସ୍ତାରୁ ଉଠିଯାଉଛି ଫଡ଼ାଫଡ଼ା ପିଚୁ । ଏ ହେଉଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ମାଧପୁର ପଞ୍ଚାୟତ ଗୋବା ଗାଁରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମିତ ରାସ୍ତା ଅବସ୍ଥା । ଦୁର୍ନୀତିକୁ ବିରୋଧ କଲେ ଗ୍ରାମବାସୀଙ୍କୁ ମିଳୁଛି ଧମକ । ନିର୍ମାଣ କାମକୁ ୫ ଦିନ ନପୁରୁଣୁ ରାସ୍ତା ଅବସ୍ଥା ଶୋଚନୀୟ। ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିର୍ମାଣରେ ଦୁର୍ନୀତି ଜଳ ଜଳ ଦିଶୁଛି । ଅନେକ ସମୟରେ ରାସ୍ତାରେ ଗାଡ଼ି ଚକ ଖସି ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଲୋକେ ।

ଦୀର୍ଘଦିନର ଦାବି ପରେ ନିର୍ମାଣ ହେଲା ପିଚୁ ରାସ୍ତା । କାମ ଆରମ୍ଭରୁ ଠିକାଦାରଙ୍କ ମନମାନି ଓ ନିମ୍ନ ମାନର କାମକୁ ନେଇ ବାରମ୍ବାର ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ବି କିଛି ଫରକ ପଡ଼ିନି । ଠିକାଦାର ସରକାରୀ ଅର୍ଥ ହଡ଼ପ କରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପକେଟ ଗରମ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ରାସ୍ତାର ଉଭୟ ପାର୍ଶ୍ଵରେ ଗାର୍ଡ ୱାଲ ନିର୍ମାଣ କରାଯାଇନଥିବାରୁ ସାମାନ୍ୟ ବର୍ଷାରେ ରାସ୍ତା ଧୋଇଯିବା ସମ୍ଭାବନା ରହିଛି। ନିମ୍ନ ମାନର ରାସ୍ତା କାମ ହେଉଛି । କିନ୍ତୁ ବିଭାଗୀୟ ଅଧିକାରୀ ନିୟମିତ ତଦାରଖ କରୁନାହାନ୍ତି । ଯାହାଯୋଗୁ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ ।