କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଗୋଆର ବର୍ଷିୟାନ୍ କଂଗ୍ରେସ ନେତା ଲୁଇଜିହ୍ନୋ ଫଲେରିଓ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଷ୍ଟ୍ରିଟ୍ଫାଇଟର୍। ସେ ବିଜେପିକୁ କଡ଼ା ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ କରାଇପାରିବେ। ଏଭଳି କହିବା ପରେ ଗୋଆର ବର୍ଷିୟାନ୍ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେରିଓ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରେ ୪୦ ବର୍ଷ ଧରି ସଦସ୍ୟ ଥିବା ଫଲେରିଓ ତୃଣମୂଳ କଂଗ୍ରେସରେ ଯୋଗ ଦେବେ ଜଣାପଡିଛି।
ଗୋଆରେ ମମତାଙ୍କ ଭଳି ଶାସକଙ୍କର ଆବଶ୍ୟକତା ଅଛି ଲୁଇଜିହ୍ନୋ କହିଛନ୍ତି। ବିଜେପି ସହ ଲଢ଼ିବା ପାଇଁ ଉପଯୁକ୍ତ ଥିବା ତୃଣମୂଳ କଂଗ୍ରେସକୁ ସେ କଂଗ୍ରେସରୁ ବାହାରିଥିବା ଶାଖା ବୋଲି କହିଛନ୍ତି। ଫଲେରିଓଙ୍କ ସହ ଆଲୋଚନା ପାଇଁ ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ଡେରେକ୍ ଓବ୍ରାଇନ୍ ଏବଂ ପ୍ରସୂନ ବାନାର୍ଜୀ ଏବେ ଗୋଆରେ ଅଛନ୍ତି। ନିକଟରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ମଧ୍ୟ ଗୋଆରେ ଟିଏମସି ନିଜ ପାଦ ଥାପିବାକୁ ଯାଉଛି ବୋଲି କହିଥିଲେ। ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହି ମିଶ୍ରଣ ଗୁରୁତ୍ବବହନ କରୁଛି।