ଟାରିଫକୁ ନେଇ ଟ୍ରମ୍ପଙ୍କ ୟୁଟର୍ଣ୍ଣ ପରେ ଉପରକୁ ଉଠିଲା ବିଶ୍ବ ବଜାର

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଘୋଷଣା ପରେ ତଳକୁ ତଳକୁ ଖସୁଥିବା ବିଶ୍ବ ବଜାର ପୁଣି ହୋଇଛି ଉପରମୁହାଁ । ଗତକାଲି ୯୦ ଦିନ ପାଇଁ ଟ୍ରମ୍ପ ଟାରିଫ ସ୍ଥଗିତ ରଖିବା ପରେ ଆଜି ଉପର ମୁହାଁ ହୋଇଛି ବଜାର ।
ଗତକାଲି ଚୀନକୁ ଛାଡ଼ି ଅନ୍ୟ ସବୁ ଦେଶରେ ଉପରେ ଆମେରିକା ଲଗାଇଥିବା ଟାରିଫକୁ ୯୦ ଦିନ ପାଇଁ ସ୍ଥଗିତ ରଖିଛି । ଏହା ପରେ ଆଜି ମାର୍କେଟରେ ଦେଖାଦେଇଛି ଉତ୍ସାହ । ଆମେରିକାର ନାସଡାକର ସେୟାର ଗୋଟିଏ ଦିନରେ ୧୨ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଡାଓ ଜୋନସ ବୃଦ୍ଧି ପାଇଛି ୩୦୦୦ ପଏଣ୍ଟ । ଜାପାନର ନିକେରେ ୮ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଦକ୍ଷିଣ କୋରିଆର କୋସ୍ପି ୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ସେହିପରି ଅଷ୍ଟ୍ରେଲିଆର ମାର୍କେଟ ୫ ପ୍ରତିଶତ ବୃଦ୍ଧି ପାଇଛି । ବିଭିନ୍ନ ଦେଶର ବେଞ୍ଚମାର୍କରେ ବୃଦ୍ଧି ଘଟିଛି ।
ମହାବୀର ଜୟନ୍ତୀ ପାଇଁ ଆଜି ଭାରତର ସେୟାର ମାର୍କେଟ ବନ୍ଦ ଅଛି । ଆସନ୍ତାକାଲି ବଜାର ଖୋଲିବା ପରେ ଭାରତରେ ବି ଉତ୍ସାହ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।