ନନ୍ଦିଘୋଷ ବ୍ୟୁରୋ: ଏୟାର ଇଣ୍ଡିଆ ବିମାନକୁ ଯେମିତି ଶନିଙ୍କ କୋପ ଦୃଷ୍ଟି ଲାଗିଯାଇଛି । ଗୋଟିଏ ପରେ ଗୋଟିଏ ଅଘଟଣ ଏୟାର ଇଣ୍ଡିଆ ବିମାନ ସହିତ ଘଟିଚାଲିଛି । ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଲଗାତାର ଏୟାର ଇଣ୍ଡିଆ ବିମାନରେ ସମସ୍ୟା ଦେଖାଦେଉଛି । ଗତକାଲି ହଂକରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ତ୍ରୁଟି ଦେଖାଯାଇଥିବା ବେଳେ ଆଜି ପୁଣି ସେମିତି ଏକ ଘଟଣା ସାମ୍ନାକୁ ଆସିଛି । ସାନ୍ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନର ଇଞ୍ଜିନ୍ ଖରାପ ହୋଇଯାଇଥିଲା। ଏହି କାରଣରୁ ମଙ୍ଗଳବାର ସକାଳେ ବିମାନକୁ କୋଲକାତାରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ରିପୋର୍ଟ ଅନୁଯାୟୀ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସମସ୍ୟା ଦେଖାଯିବା ପରେ ବିମାନରୁ ସମସ୍ତ ଯାତ୍ରୀ ଏବଂ କ୍ୟାବିନ କ୍ରୁଙ୍କୁ ଓହ୍ଲାଇ ଦିଆଯାଇଛି ।
ଏୟାର ଇଣ୍ଡିଆର ବିମାନ AI180 କୋଲକାତା ଦେଇ ମୁମ୍ବାଇ ଯାଉଥିଲା। ଏହି ବିମାନଟି ମଧ୍ୟ ବୋଇଂ କମ୍ପାନୀର ଥିଲା। ବୋଇଂ 777-200LR ୱାର୍ଲ୍ଡଲାଇନର ୧୬ ଜୁନ୍ ରାତିରେ କୋଲକାତାରେ ପହଞ୍ଚିଥିଲା। ଏହା ପ୍ରାୟ ୨ଟାରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବାର ଥିଲା, କିନ୍ତୁ ଇଞ୍ଜିନରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଉଡ଼ାଣ ବିଳମ୍ବିତ ହୋଇଥିଲା। ଇଞ୍ଜିନ ସମସ୍ୟା ସମାଧାନ ନହେବାରୁ ସମସ୍ତ ଯାତ୍ରୀଙ୍କୁ ସକାଳ ୫.୨୦ ରେ ଓହ୍ଲାଇ ଦିଆଯାଇଥିଲା।
ହଂକଂ ବିମାନ ମଝି ରାସ୍ତାରେ ଫେରିଗଲା
ସୋମବାର ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନରରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହା ଫଳରେ ସୋମବାର ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନ AI ୩୧୫କୁ ହଂକଂକୁ ଫେରିବାକୁ ପଡିଲାଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନ୍ର ବିମାନ ଫ୍ଲାଇଟ୍ ଏଆଇ ୩୧୫ ଠିକ୍ ସମୟରେ ହଂକଂରୁ ଉଡ଼ାଣ ଭରିଥିଲା । କିନ୍ତୁ ଉଡ଼ାଣ ପରେ କିଛି ସମୟ ମଧ୍ୟରେ ପାଇଲଟ୍ଙ୍କୁ ସିଷ୍ଟମ୍ରେ ସମ୍ଭାବ୍ୟ ତ୍ରୁଟିର ସଙ୍କେତ ମିଳିଥିଲା । ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପାଇଲଟ ତୁରନ୍ତ ବିମାନକୁ ହଂକଂର ଚେକ୍ ଲାପ କୋକ ବିମାନବନ୍ଦରକୁ ଫେରାଇ ନେଇଥିଲେ ।ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି, “ଉଡ଼ାଣ AI ୩୧୫ ସୁରକ୍ଷିତ ଭାବରେ ଅବତରଣ କରିଛି ଏବଂ ସମସ୍ତ ଯାତ୍ରୀଙ୍କୁ ସହାୟତା କରାଯାଉଛି।” ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, “ଉଡ଼ାଣ ମଧ୍ୟରେ ପାଇଲଟ୍ ଏକ ସମ୍ଭାବ୍ୟ ସମସ୍ୟା ଚିହ୍ନଟ କରିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନକୁ ଫେରାଇ ଦିଆଯାଇଥିଲା। ବିମାନଟି ହଂକଂରେ ସୁରକ୍ଷିତ ଭାବରେ ଅବତରଣ କରିଛି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଯାଞ୍ଚ କରାଯାଉଛି।”
ଅହମଦାବାଦ ଦୁର୍ଘଟଣା ପରେ,ଏୟାର ଇଣ୍ଡିଆ ବିମାନରେ ସମସ୍ୟା ଦେଖାଦେଉଛି
ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହି ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲା, କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ, ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଅନ୍ୟ ବିମାନଟି ଦିଲ୍ଲୀରୁ ରାଞ୍ଚି ଯାଉଥିଲା। ଏହି ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନଟି ମଧ୍ୟ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା।

