‘ଆଦିବାସୀ କଳା ଓ ସଂସ୍କୃତିର ପ୍ରଶଂସକ ଥିଲେ ଗୀତା’

ଭୁବନେଶ୍ବର: ଆରପାରିରେ ପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟା । ଗୀତାଙ୍କ ପରଲୋକ ଖବର ଶୁଣି ମର୍ମାହତ ହୋଇଯାଇଛନ୍ତି ପ୍ରଖ୍ୟାତ ସଂଗ୍ରାହକ ଓ ଐତିହ୍ୟ ଗବେଷକ ସୁଦର୍ଶନ ସାହୁ । ଗୀତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେ କଳା ଓ ସଂସ୍କୃତିର ଗବେଷିକା ଥିବା କହିଛନ୍ତି ସୁଦର୍ଶନ ।

୨୦୧୮ ଏପ୍ରିଲ ୧୮ ତାରିଖ କଥା ମନେ ପକାଇ ସୁଦର୍ଶନ କହିଛନ୍ତି, ‘ଆଦିବାସୀମାନେ ପରିଧାନ କରୁଥିବା ଅଳଙ୍କାରକୁ ଭଲ ପାଉଥିଲେ ଗୀତା । ପଖାଳ କଂସା ଓ କିରୋସିନ ଡିବି ସମ୍ପର୍କରେ ସେ ଗବେଷଣା କରିବାକୁ ଭଲ ପାଉଥିଲେ । ଲୋକଲୋଚନରୁ ଦୂରେଇ ରହିବା ଲାଗି ସେ ଗୋପନୀୟ ଭାବେ ସଂଗ୍ରହାଳୟକୁ ଆସିଥିଲେ ।’

ଆଗକୁ ସେ କହିଛନ୍ତି, ‘ଆଦିବାସୀ ପିନ୍ଧୁଥିବା ହାର, ବାରୁଟି, ପାଉଁଜି, ଖଡୁ ଓ ଅନ୍ୟାନ୍ୟ କଳାଗୁଡିକୁ ଦେଖିଥିଲେ । ଏହାସହ ୩୦ ପ୍ରକାର ପଖାଳ କଂସାର ଉତ୍ପତ୍ତି, ଡିଜାଇନ, ସେଗୁଡିକର ସମୟ କାଳ ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ । ୬ ଲିଟର କ୍ଷମତାର ଏକ କଂସାବେଲା ଟଭା ଫାଳିଆ ଦେଖି ସେ ଅଭିଭୁତ ହୋଇଯାଇଥିଲେ ।’

ପରିଦର୍ଶକ ନଥିରେ ମଧ୍ୟ ସେ ନିଜର ମତ ଉଲ୍ଲେଖ କରିଥିବା କହିଛନ୍ତି ସୁଦର୍ଶନ । ଆଦିବାସୀ ସଂସ୍କୃତିକୁ ଭଲ ପାଉଥିବା ଗୀତା ସେହିଦିନ ୮ଟି ଆଦିବାସୀ ଅଳଙ୍କାର ଓ କଳାକୃତି ବି କିଣିଥିଲେ ।