ବିରୁଡ଼ି କାମୁଡ଼ିବାରୁ ଛାତ୍ରୀଙ୍କୁ ଚେଙ୍କ ଦେଲେ ଶିକ୍ଷୟିତ୍ରୀ

ଖୋର୍ଦ୍ଧା: ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି । ଅର୍ଥାତ ସ୍କୁଲ ପରିସର ଭିତରେ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ମାଡ଼ଗାଳି ଦେବା ନିଷିଦ୍ଧ କରାଯାଇଛି । ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅସରଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ହେଲେ ପାଠପଢ଼ା କି ବଦମାସି ପାଇଁ ନୁହେଁ, ଛାତ୍ରୀଙ୍କୁ ବିରୁଡ଼ି କାମୁଡ଼ିବାରୁ କଷ୍ଟ କମ କରିବାକୁ ଶିକ୍ଷୟିତ୍ରୀ ଜଣଙ୍କ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ଚେଙ୍କ ଦେବା ପରେ ଛାତ୍ରୀ ଜଣଙ୍କ ଗୁରୁତର ହୋଇ ପଡ଼ିଥିବାରୁ ତାଙ୍କୁ ହସ୍ପିଟାଲ ନେଇ ଚିକିତ୍ସା କରାଯାଇଛି ।

ଅଭିଯୋଗ ଅନୁସାରେ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ରୀ ସାଇନା ବିଶ୍ବାଳ ସ୍କୁଲରେ ଥିବା ବେଳେ ତାଙ୍କୁ ଏକ ବିରୁଡି କାମୁଡ଼ି ଦେଇଥିଲା । ସାଇନା ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ଶିକ୍ଷୟିତ୍ରୀ ସ୍ମିତା ମହାପାତ୍ର ଗ୍ୟାସ ଚୁଲିରେ ଏକ ଛୁରି ଗରମ କରି ଛାତ୍ରୀଙ୍କୁ ବିରୁଡି କାମୁଡି ଥିବା ସ୍ଥାନରେ ଚେଙ୍କ ଦେଇଥିଲେ । ଏହାପରେ ଉକ୍ତ ସ୍ଥାନରେ ଫୋଟକା ହୋଇଯିବା ସହିତ ଅଧିକ ଯନ୍ତ୍ରଣା ହେବାରୁ ଛାତ୍ରୀ ଜଣଙ୍କ ଘରକୁ ପଳାଇ ଆସିଥିଲେ । ଘର ଲୋକ ଝିଅର ଏଭଳି ଅବସ୍ଥା ଦେଖି ତାକୁ ନିକଟସ୍ଥ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ ।

ଘଟରାକୁ ଶିକ୍ଷୟିତ୍ରୀ ଜଣଙ୍କ ସ୍ବୀକାର କରିଛନ୍ତି । ଛୁରି ନୁହେଁ ଲୁହା ରଡ଼ ତତାଇ ଚେଙ୍କ ଦେଇଥିବା ସେ କହିଛନ୍ତି । ତେବେ ଏମିତି କରିବା ତାଙ୍କର ଭୁଲ ବୋଲି ଶିକ୍ଷୟିତ୍ରୀ ଜଣଙ୍କ ସ୍ବୀକାର କରିଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଏଭଳି ଘଟଣାକୁ ସ୍ଵୀକାର କରିବା ସହିତ ଏ ସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ।