ପ୍ରେମିକ ଅନ୍ୟତ୍ର ବିବାହ କଲା ବୋଲି ଏସିଡ୍‌ ମାଡ କଲା ପ୍ରେମିକା

ରାୟପୁର: ବିବାହ ବେଦୀରେ ଏସିଡ୍ ମାଡ଼ ଘଟଣା । ବିବାହ ପ୍ରତିଶ୍ରୁତି ଦେଇ ଧୋକା ଦେଇଥିବାରୁ ପ୍ରେମିକା କରିଛି ଆକ୍ରମଣ । ଛତିଶଗଡ଼ର ବସ୍ତର ଜିଲ୍ଲାରେ ଗତ ୧୯ ତାରିଖ ଦିନ ଏକ ବିବାହ ବେଦୀରେ ଏସିଡ୍ ଆକ୍ରମଣରେ ବର ଓ କନ୍ୟା ସମେତ ୧୨ଜଣ ଲୋକେ ଆହତ ହୋଇଥିଲେ । ଘଟଣାରେ ଭାନପୁରୀ ପୋଲିସ ଜଣେ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି  ।

ସଂପୃକ୍ତ ଯୁବତୀ ଜଣକ ଆହତ ବରଙ୍କ ପ୍ରେମିକା ବୋଲି ଜଣାପଡ଼ିଛି । ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅନ୍ୟ ଯୁବତୀଙ୍କୁ ବିବାହ କରୁଥିବାରୁ ପ୍ରେମିକା ଏଭଳି ପଦକ୍ଷେପ ନେଇଥିବା ନିଜେ ସ୍ବୀକାର କରିଛନ୍ତି । ସୂଚନା ଅନୁସାରେ ୭ ବର୍ଷ ପୂର୍ବରୁ ଅଭିଯୁକ୍ତ ଯୁବତୀ ଓ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ପରସ୍ପରକୁ ବିବାହ କରିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ। ହେଲେ ପୁଅକୁ ପରିବାର ଲୋକ ବିବାହ କରାଉଥିବା ଜାଣି ବିବାହ ବେଦୀ ପାଖରେ ପହଞ୍ଚିଥିଲେ ।

ଝଡ଼ ତୋଫାନ ଯୋଗୁ ବିଦ୍ୟୁତ କାଟର ଫାଇଦା ଉଠାଇ ବର କନ୍ୟା ଉପରେ ଏସିଡ୍ ଆକ୍ରମଣ କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଏକ ୧୦ ଜଣିଆ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା | ଭାନପୁରୀ ଆଡକୁ ଯାଉଥିବା ରାସ୍ତାରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା । ଶେଷରେ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା | ନିଜ ଅପରାଧ ସ୍ୱୀକାର କରିବା ପରେ ପୋଲିସ ଉକ୍ତ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।