ମୋର ନୁହେଁ ତ କାହାର ନୁହଁ: ପ୍ରେମିକଙ୍କୁ ମର୍ଡର କଲା ପ୍ରେମିକା

ଖୋର୍ଦ୍ଧା: ମୋର ନୁହଁତ କାହାର ନୁହଁ । ପ୍ରେମ କରି ଦୂରେଇ ଯିବାରୁ ପ୍ରେମିକଙ୍କୁ ହତ୍ୟା କଲା ପ୍ରେମିକା । ଖୋର୍ଦ୍ଧା କେରଙ୍ଗ ଗାଁରେ ଘଟିଥିବା ହତ୍ୟାକାଣ୍ଡ ଉପରୁ ହଟିଲା ପରଦା । ମୁଖ୍ୟ ଅଭିଯୁକ୍ତ ଆଲିମା ବେଗମ୍ ଓରଫ ଡଲି ସହ ତିନି ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଗତ ୧୬ ତାରିଖ ଦିନ ଘଟିଥିଲା ହତ୍ୟାକାଣ୍ଡ । ମୃତ ଯୁବକ ଅତାବୁଲା ଖାଁ ବିବାହିତ ହୋଇ ମଧ୍ୟ ସେଇ ଗାଁର ଡଲି ସହ ସମ୍ପର୍କ ରଖିଥିଲେ । ଏହି ଘଟଣା ପ୍ରଘଟ ପରେ ସ୍ତ୍ରୀ ଅତାବୁଲଙ୍କୁ ଡଲି ସହ ସମ୍ପର୍କ ରଖିବାକୁ ମନା କରିଥିଲେ । ଅତାବୁଲା ମଧ୍ୟ ଡଲିଠାରୁ ଦୂରେଇ ଯାଇଥିଲେ ।

ଏହାର ପ୍ରତିଶୋଧ ନେବାକୁ ଯାଇ ଅତାବୁଲାଙ୍କୁ ଘରକୁ ଡାକି ଛୁରୀରେ ବେକ କାଟି ହତ୍ୟା କରିଥିଲା ଡଲି । ପରେ ମୃତଦେହକୁ ଅଖାରେ ବାନ୍ଧି ବାଇକରେ ନେଇ ଏକ ପଥର ଖଣିରେ ପକାଇ ଦେଇଥିଲା ଡଲି । ଏଥିରେ ସହାୟତା କରିଥିଲେ ମସୁର ରହେମନ୍, ଅବଦୁଲ ମସେରାର ଖାଁ, ଏବଂ ଏସ କେ ମହିଫୁଜି । ଘଟଣାର ପର୍ଦ୍ଦାଫାଶ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ, ତିନୋଟି ମୋବାଇଲ, ବାଇକ୍ ଜବତ କରିଛି ପୋଲିସ ।