ଦିଲ୍ଲୀ ମେଟ୍ରୋ ଷ୍ଟେସନ କୋଠାରୁ ଡେଇଁଲେ ଯୁବତୀ, CISF ଯବାନ କମ୍ବଳରେ କଲେ କ୍ୟାଚ୍

1 min read

ନୂଆଦିଲ୍ଲୀ: ଦିଲ୍ଲୀର ଅକ୍ଷୟଧାମ ମେଟ୍ରୋ ଷ୍ଟେସନ ଛାତରୁ ଡେଇଁ  ଜଣେ ୨୫ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚିଗଲା । ଯାହାର ସୂଚନା CISF ଭିଡ଼ିଓ ମାଧ୍ୟମରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।  ଏହି ଭିଡ଼ିଓ ଗୁରୁବାର ସକାଳ ପ୍ରାୟ ୭ଟା ୧୫ ମିନିଟ ସମୟର । ଯୁବତୀଙ୍କୁ ଲାଲ ବାହାଦୂର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଯୁବତୀ ଜଣକ ହଠାତ୍‌ ମେଟ୍ରୋ ଷ୍ଟେସନ କାନ୍ଥରେ ଚଢ଼ିଗଲେ । ଏହାର ତୁରନ୍ତ ପରେ CISF ଯବାନ ତାଙ୍କୁ ଓହ୍ଲାଇବା ପାଇଁ କହିଲେ, ଏମିତି କି ଖୁବ୍‌ ବୁଝାଇଲେ ଓହ୍ଲାଇ ଆସିବାକୁ । କିନ୍ତୁ ଯୁବତୀ ଜଣକ ଛାତରୁ ତଳକୁ ଓହ୍ଲାଇବାକୁ ନାରାଜ । ତାଙ୍କର ଗୋଟିଏ ଜିଦି ସେ ଆତ୍ମହତ୍ୟା କରିବେ । ଅନ୍ୟପଟେ ଯୂବତୀ କଥା ନମାନିବାରୁ, CISF ଯବାନ୍‌ ତଳେ କମ୍ବଳ ଏବଂ ଚାଦର ନେଇ ପହଞ୍ଚିଗଲେ । ଯୁବତୀ ତଳକୁ ଡେଇଁବା ମାତ୍ରେ ତାଙ୍କୁ ଧରିନେଲେ । ଯୁବତୀଙ୍କ ଶରୀରର କିଛି ଅଂଶକୁ ଆଘାତ ପହଞ୍ଚିଛି ।

ସୋସିଅଲ ମିଡିଆରେ ୟୁଜର୍ସ CISF ଯବାନଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି । ସୂଚନାଯୋଗ୍ୟ  ୧୨ ହଜାରରୁ ଅଧିକ CISF ଯବାନ୍‌ ଦିଲ୍ଲୀ ମେଟ୍ରୋର ସୁରକ୍ଷାରେ ନିୟୋଜିତ ।  ଏହା ୧୫ ବର୍ଷ ଧରି ଚାଲି ଆସୁଛି ।