ଭାରତକୁ ମୁସଲିମ୍ ରାଷ୍ଟ୍ର ବନାଇବାକୁ ଚାହୁଁଛନ୍ତି ଓୱେସୀ: ଗିରିରାଜ ସିଂ

ହାଇଦ୍ରାବାଦ: ଏଆଇଏମଆଇଏମର ମୁଖିଆ ଅସଦୁଦ୍ଦୀନ ଓୱେସୀଙ୍କୁ ଭର୍ତ୍ସନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ଗିରିରାଜ କହିଛନ୍ତି ଓୱେସୀ ଦେଶରେ ଆତଙ୍କବାଦ ସୃଷ୍ଟି କରୁଛନ୍ତି ଏବଂ ସେ ଦେଶକୁ ଏକ ଇସଲାମିକ ଷ୍ଟେଟ ବନାଇବାକୁ ଚାହୁଁଛନ୍ତି । ସୂଚନାଯୋଗ୍ୟ, ୨୧ ଏପ୍ରିଲରେ ଓୱେସୀ ଅତିକ୍ ହତ୍ୟାକାଣ୍ଡ ଉପରେ ବୟାନ ଦେଇଥିଲେ ଏବଂ ଆକ୍ରମଣକାରୀଙ୍କୁ ଆତଙ୍କବାଦୀ କହିଥିଲେ । ଗିରିରାଜ ସିଂ ଏଆଇଏମଆଇଏମ ମୁଖ୍ୟଙ୍କ ଉପରେ ଦେଇଥିବା ବୟାନରେ କହିଛନ୍ତି, ଓୱେସୀ ଦେଶରେ ଆତଙ୍କବାଦ ସୃଷ୍ଟି କରୁଛନ୍ତି ।

ଓୱେସୀ ଯେତେବେଳେ ବି କୌଣସି ପ୍ରସଙ୍ଗରେ କହିଥାନ୍ତି କେବଳ ବିଷ ଓଗାରିଥାନ୍ତି, ଦେଶକୁ ଭାଙ୍ଗିବା ଭଳି କଥା କହିଥାନ୍ତି । ନିଜ ଘରକୁ କାହିଁକି ଦେଖୁନାହାନ୍ତି, ତାଙ୍କ ଭାଇ କୁହନ୍ତି ଯେ ପନ୍ଦର ପିନିଟ୍ ପୋଲିସ ହଟିଗଲେ ତେବେ ମୁଁ ଦେଶର ହିନ୍ଦୁଙ୍କୁ ଦେଖାଇ ଦେବି । ସେ ଆଗକୁ କହିଥିଲେ, ହାଇଦ୍ରାବାଦରୁ ମୁଣ୍ଡରୁ ଗଣ୍ଡି ଅଲଗା କରିବାର ଧମକ ଦେଉଥିବା ବ୍ୟକ୍ତିଙ୍କୁ ଓୱେସୀ ଜେଲରୁ ମୁକ୍ତ କରାଉଛନ୍ତି । ଜିନ୍ନାଙ୍କ କଥା ତାଙ୍କ ସ୍ୱରରେ ପରିଲକ୍ଷିତ ହେଉଛି ଏବଂ ଦେଶକୁ ଇସଲାମିକ ଷ୍ଟେଟ୍ ବନାଇବାକୁ ସେ ଚାହୁଁଛନ୍ତି । ଶୁଟର୍ସଙ୍କୁ ଗୋଡସେ ସହ ତୁଳନା କରି ଅତିକ୍ ଭଳି ମାଫିଆକୁ ଗାନ୍ଧି ବୋଲି କହୁଛନ୍ତି ଯାହାକି ନିନ୍ଦନୀୟ ଅଟେ ।

ହାଇଦ୍ରାବାଦରେ ଓୱେସୀ କହିଥିଲେ ଯେ, ଅତିକ ଅହମଦ ଏବଂ ତା ଭାଇ ଉପରେ ଗୁଳି ଚଳାଇଥିବା ଶୁଟର କହିଛନ୍ତି ଯେ ଆମେ ଚର୍ଚ୍ଚିତ ହେବାକୁ ଚାହୁଁଥିଲୁ । ଏହା ଚର୍ଚ୍ଚିତ ହେବା ନୁହେଁ ଏହା ସେଇ ଗ୍ରୁପ ଅଟେ ଆମେ ଯାହାକୁ ଟେରର ସେଲ ବୋଲି କହିଥାଉ ।  ଆମେ ପଚାରିବାକୁ ଚାହୁଁଛୁ ଯେ ସେମାନଙ୍କ ଉପରେ ୟୁଏପିଏ କାହିଁକି ଲଗାଗଲା ନାହିଁ? ସେମାନଙ୍କୁ ୮ଲକ୍ଷର ବନ୍ଧୁକ କିଏ ଦେଇଥିଲା? ଆପଣ ମନେ ରଖନ୍ତୁ ଏମାନେ ହେଉଛନ୍ତି ଆତଙ୍କବାଦୀ । ଏମାନେ ଗୋଡସେଙ୍କ ନକ୍ସା ପଥରେ ଚାଲୁଛନ୍ତି ବୋଲି କହିଥିଲେ ଓୱେସୀ ।