ବାବର ଆଜମଙ୍କୁ ପଛରେ ପକାଇ ଦିନିକିଆରେ ନମ୍ବର ଓ୍ବାନ୍ ବ୍ୟାଟ୍ସମ୍ୟାନ ବନିଲେ ଗିଲ୍, ନଜର ପକାନ୍ତୁ ଆଉ କିଏ କେତେ ନମ୍ବର ସ୍ଥାନରେ ଅଛନ୍ତି

ନୂଆାଦିଲ୍ଲୀ: ଶୁଭମନ ଗିଲ୍ । ଭାରତୀୟ କ୍ରିକେଟ ଦଳର ଏହି ଯୁବ ଓପନର ଏବେ ବିଶ୍ବର ନମ୍ବର ଓ୍ବାନ ବ୍ୟାଟ୍ସମ୍ୟାନ ବନିଛନ୍ତି । ଚିରପ୍ରତିଦ୍ବନ୍ଦୀ ବୋଲାଉଥିବା ପାକିସ୍ତାନର ବାବର ଆଜମଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛନ୍ତି । ଚଳିତ ବିଶ୍ବକପରେ ଗିଲ୍ ଭଲ ପ୍ରଦର୍ଶନ କରିବା ସହ ଚଳିତ ବର୍ଷ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଦମଦାର ପ୍ରଦର୍ଶନ କରିଛନ୍ତି । ତେବେ ଦିନିକିଆରେ ୮୩୦ ପଏଣ୍ଟ ସହ ଟପରେ ରହିଥିବାବେଳେ ବାବର ଆଜମ ୮୨୪ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକୀୟ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡିକକ୍ ଏବେ ତୃତୀୟ ସ୍ଥାନରେ ରହିଛନ୍ତି । ଚଳିତ ବିଶ୍ବକପରେ ଡିକକ୍ ଶତକ ପରେ ଶତକ ହାସଲ କରି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ବିରାଟ କୋହଲି ଡେଭିଡ୍ ଓ୍ବାର୍ଣ୍ଣର ଏବଂ ରୋହିତ ଶର୍ମାଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ ଉତୀର୍ଣ୍ଣ ହୋଇଛନ୍ତି ।

ବିରାଟ କୋହଲି ଭାରତରେ ଆୟୋଜିତ ବିଶ୍ବକପରେ ୫ଶହରୁ ଅଧିକ ସ୍କୋର କରି ସାରିଲେଣି । ନିକଟରେ ତାଙ୍କ ଜନ୍ମଦିନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶତକୀୟ ପାଳି ଖେଳିବା ସହ ଦିନିକିଆରେ ସଚିନଙ୍କ ସମକକ୍ଷ ହୋଇଛନ୍ତି । ଦିନିକିଆରେ ସଚିନ ତେନ୍ଦୁଲକର ୪୯ ଶତକ ହାସଲ କରି ବିଶ୍ବରେ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶୀର୍ଷରେ ରହିଥିଲେ । କୋହଲି ସଚିନଙ୍କଠାରୁ କମ ପାଳିରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଆଶା କରାଯାଉଛି କି, ଚଳିତ ବିଶ୍ବକପରେ କୋହଲି ସଚିନଙ୍କୁ ଶତକ ମାମଲାରେ ଆଗେଇଯିବେ ।