ଗଁଦିଆର ମଗଜି ଲଡ଼ୁକୁ ମିଳିବ ଜିଆଇ ଟ୍ୟାଗ୍, ମଇଁଷି କ୍ଷୀରରୁ ପ୍ରସ୍ତୁତ ହୁଏ ମଗଜି ଲଡ଼ୁ

ଢେଙ୍କାନାଳ: ମଗଜି ଲଡ଼ୁକୁ ମିଳିବ ଜିଆଇ ଟ୍ୟାଗ୍ । ଜିଓଗ୍ରାଫିକାଲ ଇଣ୍ଡିକେସନର ଗ୍ରୀନ ସିଗନାଲ୍ । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ପ୍ରସିଦ୍ଧ ମଗଜି ଲଡ଼ୁକୁ ଜିଆଇ ଟ୍ୟାଗ ଦେବାକୁ ଶେଷ ହୋଇଛି ପ୍ରାଥମିକ ପରୀକ୍ଷଣ ଓ ନିରୂପଣ । ଆସନ୍ତା ୬ ତାରିଖରେ ପରାମର୍ଶଦାତା କମିଟି ବୈଠକ ବସିବ । ପରୀକ୍ଷଣକୁ ନେଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କୌଣସି ଆପତ୍ତି, ଅଭିଯୋଗ ନ ଆସିଲେ ଜିଆଇ ଟ୍ୟାଗ୍ ପ୍ରଦାନ କରାଯିବ । ଓୟୁଏଟି ପକ୍ଷରୁ ଆବଶ୍ୟକ ଦସ୍ତାବିଜ ସହ ୨୦୨୦ ଡିସେମ୍ବରରେ ଏହି ଲଡ଼ୁକୁ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରାଯାଇଥିଲା ।

୧୦୦ବର୍ଷ ତଳୁ ଗଁଦିଆ ଅଞ୍ଚଳରେ ମଗଜି ଲଡ଼ୁ ପ୍ରସ୍ତୁତ ହେବାର ପ୍ରମାଣ ରହିଛି । ମଇଁଷି କ୍ଷୀର ଛେନାରେ ଏହାକୁ ସ୍ୱତନ୍ତ୍ର ଭାବେ ଗଢ଼ାଯାଏ । ବିଶେଷକରି ଷଡ଼ଙ୍ଗି, ମନ୍ଦାର, ବିଧାରପୁର, ଦେଓଗାଁ ଆଦି ସ୍ଥାନରେ ଲଡ଼ୁ ପ୍ରସ୍ତୁତ ହୋଇଥାଏ । ଏହାର ଗଢ଼ଣ ଓ ସ୍ୱାଦ ବେଶ୍ ସ୍ୱତନ୍ତ୍ର । ଚାହିଦା ଦୃଷ୍ଟିରୁ ରାଜ୍ୟ ବାହାରକୁ ମଧ୍ୟ ଏହାର ଯୋଗାଣ ହେଉଛି । ଅନେକ ଦିନରୁ ମଗଜୀ ଲଡ଼ୁକୁ ଜିଆଇ ଟ୍ୟାଗ୍ ପାଇଁ ଦାବି କରାଯାଉଛି । ଏବେ ଅନୁମତି ଆଶା ଉଜ୍ୱଳ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।