ଫ୍ଲାଇଟରେ ଯାଇ କରୁଥିଲେ ଚୋରି !

Ghaziabad Police Arrested Accused Of Thief Gnag Who Traveled In Flight For Robbery

ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦର ସିହାନି ଗେଟ୍ ପୋଲିସ ଏନକାଉଣ୍ଟର ପରେ ଜଣେ ଦୁର୍ଦ୍ଦାନ୍ତ ଚୋରକୁ ଗିରଫ କରିଛି । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଦୁର୍ବୃତ୍ତ ଜଣଙ୍କ ଦେଶର ସମସ୍ତ ସ୍ଥାନକୁ ବିମାନରେ ଯାଇ ଚୋରି କରୁଥିବା ଗ୍ୟାଙ୍ଗର ସଦସ୍ୟ ।

ଅଭିଯୁକ୍ତର ନାଁ ଏନାମୁଲ ଶେଖ ବୋଲି ସିଟି ଏସପି ନିପୁଣ ଅଗ୍ରୱାଲ ସୂଚନା ଦେଇଛନ୍ତି । ଏନାମୁଲର ଘର ଝାଡ଼ଖଣ୍ଡରେ । ଏହି ଚୋର ଗ୍ୟାଙ୍ଗର ଲିଡର କମରୁଦ୍ଦିନ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ଗିରଫ ଏନାମୁଲକୁ ପଚରାଉଚରା ପରେ ଗ୍ୟାଙ୍ଗର ଅନ୍ୟ ୨ ସଦସ୍ୟ ଶବିଉଲ ଓ ମୋତିଉଲ ବାବଦରେ ଜାଣିବାକୁ ପାଇଛି ପୋଲିସ । ପୋଲିସର ଟିମ୍ ତିନି ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ।

ପଚରାଉଚରା ବେଳେ ଅଭିଯୁକ୍ତ କହିଛି ସେ ବ୍ୟାଙ୍କ ଲୁଟ୍ ପାଇଁ ଆସିଥିଲା । ପୋଲିସ ଘେରିଯିବାରୁ ସେ ଗୁଳି ଚଳାଇଥିଲା । ପୋଲିସର ପାଲଟା ଗୁଳି ତାର ଗୋଡ଼ରେ ବାଜିଛି । ଅଭିଯୁକ୍ତ ବିରୋଧରେ ଆନ୍ଧ୍ରପ୍ରଦେଶ, ହାଇଦ୍ରାବାଦରେ ନକଲି ନୋଟ ନେଇ ମାମଲା ମଧ୍ୟ ରହିଛି । ଏହି ଚୋର ଗ୍ୟାଙ୍ଗ ଦକ୍ଷିଣ ଭାରତର ଅଧିକାଂଶ ରାଜ୍ୟ ସହ ଗୋଆରେ ମଧ୍ୟ ଚୋରି କରିଛନ୍ତି ।

ଏନାମୁଲ କିଛିମାସ ତଳେ ଏହି ଚୋର ଗ୍ୟାଙ୍ଗରେ ମିଶିଛି । ଚୋରି ପାଇଁ ସେମାନେ ସ୍ଥାନ ଚିହ୍ନଟ ପରେ ନିକଟରେ ଥିବା ହୋଟେଲରେ ରହୁଥିଲେ । ସାଧାରଣ ଲୋକଙ୍କ ଭଳି ସେଠାରେ ବୁଲିବା ସହ ନଜର ରଖୁଥିଲେ । କେତେକ ସ୍ଥାନରେ ସିକ୍ୟୁରିଟି ଗାର୍ଡଙ୍କୁ ଟଙ୍କା ଲୋଭ ଦେଖାଇ ସାଥୀରେ ନେଇ ଯାଉଥିଲେ । ପୂରା ପ୍ଲାନିଂ ପରେ କମରୁଦ୍ଦିନ ସହଯୋଗୀଙ୍କ ସହ ଚୋରି କରିବାକୁ ଥିବା ଜାଗାରେ ପହଞ୍ଚୁଥିଲେ । ପରେ ଟ୍ରେନ୍ ଓ ଅନ୍ୟ ମାଧ୍ୟମରେ ଚୋରି ସାମଗ୍ରୀ ଧରି ଫେରୁଥିଲେ ।

ପୋଲିସ ଅନୁସାରେ, ଏହି ଗ୍ୟାଙ୍ଗ ଟାର୍ଗେଟରେ ବ୍ୟାଙ୍କ, ଜୁଏଲାରୀ ସପ୍ ଓ ବଡ଼ ଷ୍ଟୋର ରହିଥାଏ । ସେଠାରେ ମୁତୟନ ସୁରକ୍ଷା କର୍ମୀଙ୍କୁ ଚୋରି ଯୋଜନାରେ ସାମିଲ୍ କରୁଥିଲେ ।

Leave a Reply