ଚାହା ତିଆରୀରେ ବିଳମ୍ବ ହେବାରୁ ସ୍ତ୍ରୀକୁ ଖଣ୍ଡାରେ ହାଣିଲା ସ୍ୱାମୀ

ଗାଜିଆବାଦ : ଚାହା ତିଆରୀରେ ବିଳମ୍ବ ହେତୁ ସ୍ତ୍ରୀକୁ ଖଣ୍ଡାରେ ହାଣିଲା ସ୍ବାମୀ । ଏହି ଘଟଣାରେ ସ୍ବାମୀକୁ ଗିରଫ କରିଛି ପୋଲିସ । ମଙ୍ଗଳବାର ଦିନ ସକାଳେ ଚାହା ତିଆରି କରିବାର ବିଳମ୍ବ ହେବାକୁ ନେଇ ସ୍ତ୍ରୀ ସୁନ୍ଦରୀ(୫୦)କୁ ଖଣ୍ଡାରେ ହାଣିଛି ସ୍ବାମୀ ଧରମବୀର(୫୨) । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଗାଜିଆବାଦର ଭୋଜପୁର ଗାଁରେ ଘଟିଛି ।

ଚାହା ତିଆରି କରିବାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ଏତେ ବଢି ଯାଇଥିଲା ଯେ, ଧରମବୀର ନିଜ ସ୍ତ୍ରୀ ସୁନ୍ଦରୀକୁ ଖଣ୍ଡାରେ ହାଣି ଦେଇଥିଲା । ରିପୋର୍ଟ ଅନୁଯାୟୀ ଏହି ଘଟଣା ସମୟରେ ତାଙ୍କର ଚାରି ପିଲା ଅନ୍ୟ କୋଠରୀରେ ଶୋଇଥିଲେ । ଚିତ୍କାର ଶୁଣି ଗ୍ରାମବାସୀ ଘର ଭିତରକୁ ଆସି ସୁନ୍ଦରୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିଥିଲେ । ଫଳରେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିବା ପୋଲିସ କହିଛି ।

ସ୍ଥାନୀୟ ଏସିପି ଜ୍ଞାନ ପ୍ରକାଶ ରାୟଙ୍କ ସୂଚନା ଅନୁଯାୟୀ, ଧମରବୀରଙ୍କର ସୁନ୍ଦରୀଙ୍କ ସହ ଚାହା ତିଆରି ପାଇଁ ଝଗଡା ହୋଇଥିଲା । ଯାହା ଫଳରେ ଧରମବୀର ଏକ ତୀକ୍ଷ୍ନ ଅସ୍ତ୍ରରେ ସୁନ୍ଦରୀଙ୍କ ବେକକୁ ବାରମ୍ବାର ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ସୁନ୍ଦରୀଙ୍କ ଜୀବନ ଚାଲି ଯାଇଥିଲା ।