ଖୋଲୁଛି ନକଲି ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଜୈନଙ୍କ ଗୁମର

1 min read

ନନ୍ଦିଘୋଷ ବ୍ୟୁରୋ : ଖୋଲିବାରେ ଲାଗିଛି ନକଲି ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଜୈନଙ୍କ ଗୁମର । ତାଙ୍କ ନେଟଓ୍ବର୍କ ଦେଖି ତାଜୁବ ହୋଇଯାଇଛି ଉତ୍ତରପ୍ରଦେଶ ଏସଟିଏଫ । ବେଆଇନ ଅର୍ଥ ଚାଲାଣ ନିମନ୍ତେ ସେ ବାହାର ରାଷ୍ଟ୍ରରେ ବହୁ ଜାଲ୍ କମ୍ପାନୀ ପ୍ରତିଷ୍ଠା କରିଥିବା ସୂଚନା ମିଳିଛି । ଏପରିକି ୨୦୦୮ରୁ ୨୦୧୧ ଭିତରେ ତାଙ୍କ ସହଯୋଗୀ ଏହସାନ ଅଲି ସୟଦ ଜାଲ୍ ଉପାୟ ଅବଲମ୍ବନ କରି ୭୦ ନିୟୁତ ପାଉଣ୍ଡ ଋଣ କରିବାକୁ ସକ୍ଷମ ହୋଇଥିଲେ । ହର୍ଷବର୍ଦ୍ଧନଙ୍କ ବିରୋଧରେ ଏଫଆଇଆର ଦାୟର ପରେ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରାଯାଉଛି । ଏସଟିଏଫ ଅନୁସାରେ ବିଦେଶରେ ହର୍ଷବର୍ଦ୍ଧନ ବ୍ରିଟେନରେ ଇଷ୍ଟ ଇଣ୍ଡିଆ କମ୍ପାନୀ ୟୁକେ ଲିମିଟେଡ, ମରିସସ, ଦୁବାଇ ଓ ଆଫ୍ରିକୀୟ ରାଷ୍ଟ୍ରରେ ଫେକ୍ କମ୍ପାନୀ ପ୍ରତିଷ୍ଠା କରିଥିଲେ । ସେହିପରି ତାଙ୍କ ନାମରେ ଦୁବାଇରେ ଷ୍ଟେଟ ଟ୍ରେଡିଂ କର୍ପୋରେସନ, ଆଇଲାଣ୍ଡ ଜେନେରାଲ ଟ୍ରେଡିଂ କୋ ପ୍ରତିଷ୍ଠା ହୋଇଥିଲା । ସେହିପରି ମରିସସରେ ଇନ୍ଦିରା ଓଭରସିଜ୍ ଲିମିଟେଡ, ଆଫ୍ରିକାରେ କାମେରୁନ ଇସ୍ପାତ ସର୍ଲ ପ୍ରତିଷ୍ଠା ହୋଇଥିଲା । ଏହି ସବୁ କମ୍ପାନୀ ଜରିଆରେ ଟଙ୍କା କାରବାର ହେଉଥିଲା । ଜେରା ବେଳେ ହର୍ଷବର୍ଦ୍ଧନ କହିଛନ୍ତି- ବିବାଦୀୟ ଗଡମ୍ୟାନ ଚନ୍ଦ୍ରସ୍ବାମୀଙ୍କ ଘନିଷ୍ଠ ଥିବା ଏହସାନ ଅଲି ସୟଦଙ୍କ ନିର୍ଦ୍ଦେଶ ଅନୁସାରେ ସେ ସବୁକିଛି କରିଛନ୍ତି । ଏହସାନଙ୍କ ଘର ହାଇଦ୍ରାବାଦରେ । ବର୍ତ୍ତମାନ ସେ ତୁର୍କୀରେ ବସବାସ କରୁଛନ୍ତି । ଏହି ଫେକ୍ କମ୍ପାନୀ ଜରିଆରେ ହାଓ୍ବଲା କାରବାର ଓ ବଡ଼ ଧରଣର ଆର୍ଥିକ ଜାଲିଆତି ହୋଇଥିବା ସୂଚନା ମିଳିଛି । ୨୦୦୮ରୁ ୨୦୧୧ ମଧ୍ୟରେ ଏହସାନ ୭୦ ନିୟୁତ ପାଉଣ୍ଡର ଜାଲ୍ ଋଣ ହାସଲ କରିଥିଲେ ଏବଂ କମିଶନ ବାବଦରେ ପାଇଥିଲେ ୨୫ ନିୟୁତ ପାଉଣ୍ଡ । ପରେ ସେ ତୁର୍କୀ ଚାଲିଯାଇଥିଲେ । ୨୦୨୨ରେ ସୁଇସ ସରକାରଙ୍କ ଅନୁରୋଧ କ୍ରମେ ଏହସାନଙ୍କୁ ଲଣ୍ଡନରେ ଗିରଫ କରାଯାଇଥିଲା । ୨୦୨୩ରେ ଲଣ୍ଡନର ଏକ କୋର୍ଟ ସୁଇଜରଲ୍ୟାଣ୍ଡ ହାତରେ ପ୍ରତ୍ୟର୍ପଣ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ତଦନ୍ତରୁ ଜଣାଯାଇଛି ହର୍ଷବର୍ଦ୍ଧନଙ୍କ ନାମରେ ବହୁ ବ୍ୟାଙ୍କ ଆକାଉଣ୍ଟ ରହିଛି । ଏହସାନଙ୍କ ସହ ତାଙ୍କର ସମ୍ପର୍କର ବିଭିନ୍ନ ଦିଗକୁ ବି ତଦନ୍ତ କରାଯାଉଛି । ହର୍ଷବର୍ଦ୍ଧନଙ୍କ ନାମରେ ଧାରା ୩୧୮, ୩୧୮(୪), ୩୩୬(୩), ୩୩୮, ୩୪୦ ଅନୁସାରେ ମାମଲା ରୁଜୁ ହୋଇଛି ।