ପୁରୀ: ଆଜି ଆଷାଢ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଆଜି ଅଣବସର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ସୂଚନା ଅନୁଯାୟୀ, ଶ୍ରୀଜିଉଙ୍କୁ ଘଣା ଲାଗି ପରେ ସେହି ଖଳିକୁ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡିବ। ଏଥିସହ ସହ ଦଇତାପତିମାନେ ଶ୍ରୀଜିଉଙ୍କ ଶ୍ରୀପୟର ମୁଦା ନୀତି ସମ୍ପାଦନ କରିବେ। ଅନ୍ୟପକ୍ଷରେ ଆଜି ମଧ୍ୟ ଦତ୍ତମହାପାତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ପରେ ଖଡ଼ି ଆସି ଖଡି ଲାଗି ନୀତି ଅନୁଷ୍ଠିତ ହେବ।
ଅଣସର ପିଣ୍ଡିରେ ଦଇତାପତି ଓ ପତିମହାପାତ୍ର ଏହି ଗୁପ୍ତ ସେବା ସମ୍ପାଦନ କରିବେ । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀବିଗ୍ରହ ମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି କରାଯିବ । ଶ୍ରୀବିଗ୍ରହ ମାନଙ୍କ ଘଣା ଲାଗି ସମ୍ପନ୍ନ ହେବା ପରେ ଘଣ୍ଟ , ଛତା , କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ । ଏହି ଖଳିକୁ ଶୁଦ୍ଧ ସୁଆର ମାନେ ନିଜନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥାନ୍ତି । ଖଳିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ଖଳି ହାଣ୍ଡିକୁ ଘରର ମହିଳାମାନେ ବନ୍ଦାପନା କରିଥାନ୍ତି । ବିଜେ କାହାଳି ବାଜିବା ପରେ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ଶ୍ରୀମନ୍ଦିରକୁ ବିଜେ କରାଯିବ।
ସ୍ନାନପୂର୍ଣ୍ଣିମାରେ ୧୦୮ଗରା ସୁବାସିତ ଜଳରେ ମହାପ୍ରଭୁ ଦିବ୍ୟସ୍ନାନ କରି ଜ୍ୱରରେ ପୀଡିତ ହୋଇଥିବା ବେଳେ ଗତକାଲି ଏକାଦଶୀ ତିଥିରେ ଖଳିଲାଗି ଓ ଦଶମୂଳ ମୋଦକ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ତେବେ ଅନବସରର ଦଶମୀ ତିଥି ଯାଏ ମହାପ୍ରଭୁଙ୍କୁ ସେବା ପୂଜା ବେଳେ ଲାଗି ହେଉଥିବା ଭୋଗ, ଫୁଲ ଆଦି ଅଣସର ଘରୁ ବାହାରକୁ ଆସିନଥାଏ । ମହାପ୍ରଭୁ ଏକାଦଶୀରେ ଦଶମୂଳ ମୋଦକ ସେବନ କରି ସୁସ୍ଥ ହୋଇଥାନ୍ତି। ଏହି ଖବର ଗଜପତିଙ୍କୁ ଦିଆଯାଏ। ସେଥି ପାଇଁ ଅନବସର ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରି ଥିବା ଚନ୍ଦନ, କରାଳକୁ ନେଇ ସେବାୟତ ମାନେ ଗଜପତିଙ୍କୁ ପ୍ରଦାନ କରିବା ସହ ମହାପ୍ରଭୁ ସମ୍ପୂର୍ଣ ସୁସ୍ଥ ହୋଇଥିବା ଖବର ଦିଆଯାଏ । ଏହାକୁ ରାଜ ପ୍ରସାଦ ବିଜେ ନିତି କୁହାଯାଏ । ତେବେ ଆଜି ଅନବସର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଲାଗି ନିତି ଅନୁଷ୍ଠିତ ହେବ । ଆସନ୍ତାକାଲି ଚତୁର୍ଦ୍ଦଶୀରେ ଦତ୍ତମହାପାତ୍ର ସେବକମାନେ ଦାରୁଦେବତାଙ୍କ ବନକଲାଗି ଲାଗି ନୀତି କରିବେ । ଏହି ଉପଚାର ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହେବ ।

