ସ୍ବଳ୍ପ ସମୟରେ ‘ସକାଳ’ ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିଛି

ବାରିପଦା: ଦୈନିକ ଖବରକାଗଜ ସକାଳ ପରିବାର ପକ୍ଷରୁ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଛି । ସକାଳ ଓ ନନ୍ଦିଘୋଷ ଟିଭି ପରିବାରର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସେ କହିଥିଲେ, ‘ଗଣମାଧ୍ୟମ ସମାଜକୁ ଦିଗଦର୍ଶନ ଦେଇଥାଏ। ସ୍ୱଳ୍ପ ସମୟ ମଧ୍ୟରେ ସକାଳ ଜନସାଧାରଣଙ୍କ ହୃଦୟ ଜିତି ପାରିଛି । ଆମକୁ ଆହୁରି ଅନେକ ଆଗକୁ ଯିବାକୁ ପଡ଼ିବ । ସେଥିପାଇଁ ଆମକୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ । ଏହାଦ୍ବାରା ଲୋକଙ୍କ ଅଧିକ ବିଶ୍ୱାସଭାଜନ ହୋଇପାରିବା ।’

ସକାଳର ସିଇଓ ସୁବ୍ରତ କୁମାର ଦାସ ଏବଂ ପ୍ରକାଶକ ଅମିତ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସକାଳ ସମ୍ବାଦପତ୍ର ଓ ନନ୍ଦିଘୋଷ ଟିଭିର ସାମ୍ବାଦିକମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସକାଳର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ମନୋଜ କୁମାର ପଣ୍ଡା ।

ଏହି ଅବସରରେ ମାନସ ମଙ୍ଗରାଜ ବିଭିନ୍ନ ଖବରକାଗଜ ବିତରକମାନଙ୍କ ସହ ମତ ବିନିମୟ କରିଥିଲେ । ସେ କହିଥିଲେ, ‘ବିଗତ ଦିନରେ ରାଜ୍ୟରେ କାର୍ଯ୍ୟ କରୁଥିବା ଖବରକାଗଜର ବିତରକଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ସେଥିପାଇଁ ସ୍ୱତନ୍ତ୍ର ପରିଚୟ ପତ୍ର, ଆର୍ଥିକ ସହାୟତା ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ଆହୁରି ଅନେକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି ।  ସେଥିପାଇଁ ଆପଣମାନଙ୍କ ସହଯୋଗ ଆବଶ୍ୟକତା ରହିଛି ।’

ସକାଳ ସମ୍ବାଦପତ୍ରକୁ ଆହୁରି ମଜଭୂତ କରିବାକୁ ସେ ଆହ୍ବାନ ଦେବା ସହ ଏହାକୁ ଏକ ନମ୍ବରରେ ପହଞ୍ଚାଇବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।