ଜି-୭ ବୈଠକ ସମ୍ମାନିତ ଅତିଥି ତାଲିକାରୁ ଭାରତ ବାଦ !

1 min read

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ବିଭିନ୍ନ ଦେଶର ସମ୍ପର୍କ ଉପରେ ପଡିବାରେ ଲାଗିଛି । ଯୁଦ୍ଧ ବିଶ୍ବକୁ ଦୁଇ ଭାଗ କରି ଦେଇଛି । ଗୋଟିଏ ପଟେ ଚୀନ, ଉତ୍ତର କୋରିଆ ଭଳି ଦେଶ ଋଷ ସହ ଛିଡା ହୋଇଥିବା ବେଳେ ଅନ୍ୟପଟେ ଆମେରିକା, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, ଇଟଲୀ ଭଳି ଦେଶ ରହିଛନ୍ତି । ତେବେ ଦୁଇ ଭାଗ ହେଉଥିବା ବିଶ୍ବର କୌଣସି ଗୋଷ୍ଠୀରେ ଭାରତ ନାହିଁ । ଭାରତ ନା ଋଷର ଆକ୍ରମଣକୁ ନିନ୍ଦା କରିଛି ନା ଖୋଲାଖୋଲି ସମର୍ଥନ କରିଛି । ଋଷ ବିରୋଧରେ ମେଳି ହେଉଥିବା ଦେଶ ଭାରତର ଏମିତି ବୈଦେଶିକ ନୀତିକୁ ଗ୍ରହଣ କରିପାରୁନାହାନ୍ତି । ଆମେରିକାଠାରୁ ବ୍ରିଟେନ, ଫ୍ରାନ୍ସଠାରୁ ଜର୍ମାନୀ ଋଷକୁ ସମାଲୋଚନା କରିବାକୁ ଭାରତ ଉପରେ ଚାପ ପକାଇ ଆସୁଛନ୍ତି । ହେଲେ ଭାରତ ନିଜ ବୈଦେଶିକ ନୀତିରେ ଆଗକୁ ବଢୁଛି । ଭାରତର ଏଭଳି ଆଭିମୁଖ୍ୟକୁ ନେଇ ଖପ୍ପା ଜର୍ମାନୀ ଜି-୭ ସମ୍ମିଳନୀକୁ ଭାରତକୁ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରଣ ନ କରିବାକୁ ଯୋଜନା କରୁଥିବା ସୂଚନା ମିଳୁଛି ।

୩ଟି ଦେଶଙ୍କୁ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଥିବା ବେଳେ ଭାରତ ନାଁରେ ଅଟକିଛି ଜର୍ମାନୀ । ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ସମ୍ମିଳନୀର ଅଧ୍ୟକ୍ଷତା କରୁଥିବା ଜର୍ମାନୀ, ଋଷ ପ୍ରତି ଭାରତର ସ୍ବତନ୍ତ୍ର ଦୃଷ୍ଟିକୁ ନେଇ ଅସନ୍ତୁଷ୍ଠ ଅଛି । ଏହି କାରଣରୁ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ ଅତିଥି ଭାବେ ଆମନ୍ତ୍ରଣ କରିବାକୁ ନେଇ ଦୋଛକିରେ ପଡିଛି ।

ଜର୍ମାନୀର ବାବରିଆରେ ହେଉଥିବା ଜି-୭ ସମ୍ମିଳନୀକୁ ସେନେଗଲ, ଦକ୍ଷିଣ ଆଫ୍ରିକା ଓ ଇଣ୍ଡୋନେସିଆକୁ ସମ୍ମାନିତ ଅତିଥି ଭାବେ ଡକାଯିବା ଉପରେ ମୋହର ବାଜି ସାରିଛି । ହେଲେ ଭାରତକୁ ନେଇ ଏବେ ବି ବିଚାର ବିମର୍ଶ ଚାଲିଛି ।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଭାରତ ନିନ୍ଦା କରିନାହିଁ । ଏହାସହ ଋଷ ଭାରତକୁ ଦେିଥିବା ରିହାତି ଦରରେ ତେଲ ରପ୍ତାନୀ ଅଫରକୁ ଭାରତ ଅସ୍ବୀକାର କରିନାହିଁ ।  ଏହି କାରଣରୁ ଜର୍ମାନୀ ଭାରତକୁ ସମ୍ମାନିତ ଅତିଥି ଭାବେ ଡାକିବାକୁ ଚାହୁଁନାହିଁ । ଋଷ ଆକ୍ରମଣ ପୂର୍ବରୁ ଭାରତ ଅତିଥି ତାଲିକାରେ ଥିଲା । ହେଲେ ଋଷ ପ୍ରତି ଭାରତର ଆଭିମୁଖ୍ୟକୁ ଦେଖି ବର୍ତ୍ତମାନ ଭାରତକୁ ସମ୍ମିଳନୀକୁ ଡକାଯିବ କି ନାହିଁ ତାହା ସ୍ଥିର ହୋଇପାରୁନି ।

ଘଟଣାକୁ ନେଇ ଜର୍ମାନୀ ମୁଖପାତ୍ର ଷ୍ଟିଫେନ୍ ହେବଷ୍ଟ୍ରିଟଙ୍କ କହିବାର ହେଲା, ତାଲିକାକୁ ଅନ୍ତିମ ରୂପ ଦେବା ପରେ ପ୍ରକାଶ କରାଯିବ । ସେ ଆହୁରି କହିଛନ୍ତି ଅଧିକରୁ ଅଧିକ ଦେଶ ଋଷ ବିରୋଧରେ ପ୍ରତିବନ୍ଧକରେ ସାମିଲ ହେବାକୁ ଅନୁରୋଧ କରାଯାଇଛି । ତେବେ ଭାରତକୁ ସମ୍ମାନିତ ଅତିଥି ଭାବେ ଡକାଯିବା ନେଇ ପ୍ରଶ୍ନର ଉତ୍ତର ଦେବାକୁ ସେ ମନା କରିଦେଇଥିଲେ ।

ଜି-୭ର ସବୁ ଦେଶ ଋଷ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ

ୟୁକ୍ରେନ ଆକ୍ରମଣର ଜବାବରେ ଜି-୭ର ସମସ୍ତ ଦେଶ ଆମେରିକା, ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ଜାପାନ ଋଷ ଉପରେ କଡା ପ୍ରତିବନ୍ଧକ ଲଗାଇଛନ୍ତି । ଆମେରିକା ଓ ବ୍ରିଟେନ ପରି ଦେଶ ୟୁକ୍ରେନକୁ ବଡ ମାତ୍ରାରେ ଅସ୍ତ୍ରଶସ୍ତ୍ର ସହାୟତା ଯୋଗାଇ ଦେଉଛନ୍ତି । ଏମାନେ ଭାରତ ସମେତ ଅନ୍ୟ ଦେଶଙ୍କ ଉପରେ ପୁଟିନଙ୍କୁ ନିନ୍ଦା କରିବା ସହ ବ୍ୟାପାର ସମ୍ପର୍କ ଶେଷ କରିବାକୁ ଚାପ ପକାଉଛନ୍ତି । ହେଲେ ଲାଟଇନ ଆମେରିକା, ଆଫ୍ରିକା, ଏସିଆ ଓ ମଧ୍ୟ ପୂର୍ବର ବହୁ ଦେଶ ଋଷ ସହ ସମ୍ପର୍କ କାଟିବାକୁ ଚାହୁଁନାହାନ୍ତି ।