ଓଡିଶା ମାଟିରେ ବିଦେଶୀ ଫୁଲ: କୋଟିଆରେ ସଫଳ ହୋଇଛି ଜର୍ମାନୀର କେମୋ ମାଇଲ ଫୁଲ ଚାଷ

କୋରାପୁଟ: କୋରାପୁଟ ଜିଲ୍ଲାର ଜଳବାୟୁ ଚାଷ ପାଇଁ ବେଶ ସର୍ବୋକୃଷ୍ଟ । ପୂର୍ବରୁ ଷ୍ଟ୍ରବେରୀ ଭଳି ଅନେକ ଚାଷ ସଫଳ ହୋଇସାରିଛି । ଏହି ସଫଳତାରେ ଏବେ ଯୋଡି ହୋଇଛି କେମୋ ମାଇଲ ଫୁଲ । ଜର୍ମାନୀର ଏହି ଫୁଲ ଚାଷ ଏବେ କୋଟିଆରେ ସଫଳ ହୋଇଛି । ଏକର ଜମିରେ ୬ ଜଣ ମହିଳା ଏହି ଫୁଲ ଚାଷ କରି ସଫଳ ହୋଇପାରିଛନ୍ତି । ଚଳିତ ବର୍ଷ ୪୦ କିଲୋରୁ ଉର୍ଦ୍ଧ୍ଵ କେମୋ ମାଇଲ ଫୁଲ ସଂଗ୍ରହ ହୋଇସାରିଛି । ଲକ୍ଷ୍ନୌ ସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ଯୁଟ ଅଫ ମେଡିସିନାଲ ଆଣ୍ଡ ଏରୋମେଟିକ ପ୍ଳାଣ୍ଟସ ବୈଜ୍ଞାନିକ, ଓରମାସ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଉଦ୍ୟମରେ କୋଟିଆ ପଞ୍ଚାୟତରେ ପ୍ରଥମେ ଏହି ଚାଷ ପରୀକ୍ଷଣ ଭାବେ କରାଯାଇଥିଲା । ଚାଷ ସଫଳ ହେବାରୁ ଆସନ୍ତା ଦିନରେ ଅଧିକ ଫୁଲ ଚାଷ କରିବେ ବୋଲି କହିଛନ୍ତି ଆଦିବାସୀ ମହିଳା ।
ଔଷଧ ପ୍ରସ୍ତୁତି ସାଙ୍ଗକୁ ହର୍ବାଲ ଚା, ସୁଗନ୍ଧିତ ଦ୍ରବ୍ୟ ପ୍ରସ୍ତୁତିରେ ଏହି ଫୁଲ ବ୍ୟବହାର ହୋଇଥାଏ । ଏଥିରେ ପ୍ରସ୍ତୁତି ତେଲର ବଜାରରେ ଦର ଅଧିକ ରହିଛି । ଲିଟର ପିଛା ୩୦ ରୁ ୪୦ ହଜାର ଟଙ୍କା ରହିଛି । ଏହି ଫୁଲକୁ ଓରମାସ ପ୍ରଥମ ପର୍ଯ୍ୟାୟରେ କିଲୋ ପିଛା ହଜାରେ ଟଙ୍କା ଦେଇ ଚାଷୀଙ୍କ ଠାରୁ ନେଇଥିବା ବେଳେ ଏହାକୁ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଫୁଲ ଆସନ୍ତା ରତୁରେ କୋରାପୁଟର ବିଭିନ୍ନ ବ୍ଲକରେ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।