ଆସନ୍ତା ୧୫ରୁ ୨୦ ବର୍ଷ ପାଇଁ କଂଗ୍ରେସ ଉଧାଇ ପାରିବ ନାହିଁ: ଜର୍ଜ ତିର୍କୀ

ବିରମିତ୍ରପୁର: ହାତ ଛାଡିଲେ ବିରମିତ୍ରପୁର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଜର୍ଜ ତିର୍କୀ । ପୂର୍ବରୁ ସେ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ । କଂଗ୍ରେସରେ ବିଶୃଙ୍ଖଳା କରୁଥିବା ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସେମାନଙ୍କୁ ପଦବୀ ଦିଆଯାଇ ପୁରସ୍କୃତ କରାଯାଉଥିବା ଅଭିଯୋଗ ଆଣିଛନ୍ତି  ଜର୍ଜ ତିର୍କୀ । ଅଭିମାନ କରି ବିଜେଡି ଛାଡିବା ତାଙ୍କର ବଡ ଭୁଲ ଥିଲା ବୋଲି ସେ କହିଛନ୍ତି । ପିସିସି ସଭାପତିଙ୍କ ଯୋଗୁ କଂଗ୍ରେସ  ଆସନ୍ତା ୧୫ ରୁ ୨୦ ବର୍ଷ ପର୍ଯ୍ୟନ୍ତ ଉଧାଇ ପାରିବ ନାହିଁ ବୋଲି କହିଛନ୍ତି ଜର୍ଜ ତିର୍କୀ । ଗତ ନିର୍ବାଚନରେ କଂଗ୍ରେସର ରୋଡମ୍ୟାପ ଠିକ୍ ନଥିଲା ।

ପୌର ନିର୍ବାଚନରେ ଗୋଟିଏ ମ୍ୟୁନିସିପାଲଟି ପାଇଁ ଏକ ଲକ୍ଷ  ଓ ଜିଲ୍ଲା ପରିଷଦ ନିର୍ବାଚନରେ ଗୋଟିଏ ବ୍ଲକ ପାଇଁ ୫୦ ହଜାର ଟଙ୍କା କଂଗ୍ରେସ ପକ୍ଷରୁ ପ୍ରଦାନ କରାଯାଇଥିଲା । ଫଳରେ କଂଗ୍ରେସ ପ୍ରାର୍ଥୀମାନେ ପରାସ୍ତ ହୋଇଥିବା ଜର୍ଜ ତିର୍କୀ ଅଭିଯୋଗ କରିଛନ୍ତି । ବହୁ ନେତା ଓ କର୍ମୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଦଳକୁ ମଜବୁତ କରିବା ପାଇଁ ପିସିସି କିମ୍ବା ଏଆଇସିସିର ସହଯୋଗ ରହୁନାହିଁ । ଆଗାମୀ ଦିନରେ କଂଗ୍ରେସ ଦଳର ସତ୍ତା ରହିବ ନାହିଁ ବୋଲି ଜର୍ଜ ତିର୍କୀ କହିଛନ୍ତି ।