ନୂଆବର୍ଷରୁ ଜନ୍ମ ନେବେ ଜେନେରେସନ ବୀଟା: ଜାଣନ୍ତୁ ଏହି ଜେନେରେସନର ନାମ ଓ ତା’ ପଛର କାହାଣୀ
1 min readନୂଆଦିଲ୍ଲୀ: ଆପଣମାନେ ବର୍ତ୍ତମାନ ସୁଦ୍ଧା ଜେନେରେସନ ଅଲ୍ଫା ଓ ଜେନେରେସନ Z ବିଷୟରେ ଶୁଣିଥିବେ । କିନ୍ତୁ ନୂଆବର୍ଷରୁ ଆଉ ଏକ ନୂଆ ଜେନେରେସନ ଆମମାନଙ୍କ ପାଇଁ ଆସୁଛି, ଯାହାର ନାମ ‘Generation Beta’ ହେବ । ୨୦୨୫ ଜାନୁଆରୀ ୧ ଠାରୁ ଜନ୍ମଗ୍ରହଣ କରୁଥିବା ଶିଶୁମାନଙ୍କୁ ’ଜେନେରେସନ ବେଟା’ ନାମ ଦିଆଯାଇଛି । ପୂର୍ବରୁ ଆମେମାନେ Gen G ଓ Gen Alpha ମଧ୍ୟରେ ରହିଥିବା ସାମଞ୍ଜସ୍ୟକୁ ଶିଖୁଥିବା ବେଳେ ଏହା ମଧ୍ୟରେ ଏକ ନୂଆ ଜେନେରେସନ ଆସିଯାଇଛି ।
ସାଧାରଣ ଭାବେ ଯେ କୌଣସି ଜେନେରେସନର ନାମ ସେହି ସମୟର ଐତିହାସିକ, ସାଂସ୍କୃତିକ ଓ ଆର୍ଥିକ ଘଟଣାବଳୀର ଆଧାରରେ ସ୍ଥିର ହୋଇଥାଏ । କୌଣସି ଜେନେରେସନର ଆରମ୍ଭ ଓ ଶେଷ ସେହି ସମୟର ଯୁଦ୍ଧ, ଆର୍ଥିକ ବୃଦ୍ଧି ବା କୌଣସି ବଡ଼ ଟେକ୍ନୋଲୋଜିର ପରିବର୍ତ୍ତନ ଆଧାରରେ ରଖାଯାଇଥାଏ । ଏହି ଜେନେରେସନ ସାଧାରଣ ଭାବେ ୧୫-୨୦ ବର୍ଷର ଅବଧି ବିଶିଷ୍ଟ ହୋଇଥାଏ । ଆସନ୍ତୁ ଜାଣିବା ଜେନେରେସନର ନାମ ଓ ତା’ର ପଛର କାହାଣୀ ବିଷୟରେ ।
The Greatest Generation (GI ଜେନେରେସନ): 1901-1927
ଏହି ସମୟରେ ଜନ୍ମ ନେଉଥିବା ଜେନେରେସନକୁ The Greatest Generation ନାମରେ ଜଣାଯାଇଥାଏ । ଏହି ଜେନେରେସନର ଅଧିକାଂଶ ଲୋକ ଗ୍ରେଟ ଡିପ୍ରେସନ (ମହାମନ୍ଦୀ)ର ଦୁଃଖରେ ସମୟ ବିତାଉଥିଲେ । ଏହି ସମୟରେ ଜନ୍ମ ହେଉଥିବା ଅଧିକାଂଶ ଶିଶୁ ସୈନିକ ହୋଇଥିଲେ ଓ ଦ୍ବିତୀୟ ବିଶ୍ବଯୁଦ୍ଧରେ ଦେଶକୁ ରକ୍ଷା ପାଇଁ ସାମିଲ ହୋଇଥିଲେ । ଏହି ସମୟରେ ପରିବାରର ପାଳନ-ପୋଷଣ କରିବା ଏକ ଉପଲବ୍ଧି ଭାବେ ଗ୍ରହଣ କରାଯାଉଥିଲା । ଏହି ପୀଢ଼ିଙ୍କର ନିଜର କାମ ଉପରେ ଅତ୍ୟଧିକ ଫୋକସ ରହିଥିଲା, ଯାହାକି ସେମାନଙ୍କର ପରିଚୟ ସୃଷ୍ଟି କରିଥିଲା । ସେମାନେ ଯେଉଁ ଅନୁଭବ ହାସଲ କରିଥିଲେ, ତାହା ସେମାନେ ପରବର୍ତ୍ତୀ ପୀଢ଼ିଙ୍କୁ ମଧ୍ୟ ଉତ୍ତରାଧିକାର ସୂତ୍ରରେ ପ୍ରଦାନ କରିଥିଲେ ।
The Silent Generation: 1928-1945
ମହାମନ୍ଦୀ ଓ ଦ୍ବିତୀୟ ବିଶ୍ବଯୁଦ୍ଧର ଫଳାଫଳ କାରଣରୁ ଏହି ଜେନେରେସନକୁ The Silent Generation ନାମରେ ପରିଚିତ କରାଇଥିଲା । ଏହି ଜେନେରେସନର ଶିଶୁମାନେ ପରିଶ୍ରମୀ ଓ ଆତ୍ମନିର୍ଭରଶୀଳ ଥିଲେ ।
Baby Boomer Generation: 1946-1964
ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଜନସଂଖ୍ୟାର ପ୍ରବଳ ବୃଦ୍ଧି କାରଣରୁ ଏହି ଜେନେରେସନର ନାମ ବେବି ବୁମର୍ସ ରଖାଯାଇଥିଲା । ବେବି ବୁମର୍ସ ଜେନେରେସନର ଲୋକମାନେ ନିଜର ଶିଶୁଙ୍କୁ ନୂଆ ତରିକାରେ ବଡ଼ କରିଥିଲେ । ସେମାନଙ୍କ ପାଇଁ ଟେକ୍ନୋଲୋଜି ନୂଆ ଥିଲା ।
ଜେନେରେସନ X: 1965-1980
ଜେନେରେସନ X ପାଇଁ ମଧ୍ୟ ଟେକ୍ନୋଲୋଜି ନୂଆ ଥିଲା । ଏହି ଯୁଗରେ ଇଣ୍ଟରନେଟ ଓ ଭିଡିଓ ଗେମର ଶୁଭାରମ୍ଭ ହୋଇଥିଲା । ଦ୍ରୁତ ଭାବେ ବଦଳୁଥିବା ଦୁନିଆରେ ଏହି ଜେନେରେସନର ଲୋକମାନେ ବଡ଼ ହୋଇଥିଲେ । ନିଜର ଶିଶୁଙ୍କୁ ସମସ୍ତ ପ୍ରକାରର ସୁବିଧା ଦେବାକୁ ଏହି ଜେନେରେସନର ଅଭିଭାବକମାନେ ପ୍ରୟାସ କରୁଥିଲେ ।
ମିଲୋନିୟଲ୍ସ ବା ଜେନେରେସନ Y: ୧୯୮୧-୧୯୯୬
ଜେନେରେସନ Yକୁ ମିଲୋନିୟଲ୍ସ ନାମରେ ଜଣାଯାଇଥାଏ । ଏହି ଜେନେରେସନର ଲୋକମାନେ ସବୁଠାରୁ ଅଧିକ ପରିବର୍ତ୍ତନ ଦେଖିଥିଲେ ଓ ଶିଖିଥିଲେ । ଏହି ଜେନେରେସନର ଲୋକମାନେ ଟେକ୍ନୋଲୋଜି ସହିତ ନିଜକୁ ଅପଡେଟ କରିଥିଲେ ।
ଜେନେରେସନ Z: ୧୯୯୭-୨୦୦୯
ଜନ୍ମ ଲାଭ ପରେ ପରେ ଏହି ଜେନେରେସନକୁ ତ୍ବରିତ ଭାବେ ଇଣ୍ଟରନେଟ ଓ ସୋସିଆଲ ମିଡ଼ିଆ ପରି ପ୍ଲାଟଫର୍ମକୁ ନିଆଯାଇଥିଲା । ଡିଜିଟାଲ ଯୁଗରେ ଲାଳିତ ପାଳିତ ହୋଇଥିବା ଏହି ଜେନେରେସନ ସ୍ମାର୍ଟଫୋନ ଓ ଇଣ୍ଟରନେଟ ବିନା ବଞ୍ଚିବାର କଳ୍ପନା କରିନଥାନ୍ତି । ଡିଜିଟାଲ ଯୁଗରେ ସୋସିଆଲ ମିଡ଼ିଆରେ କିପରି ଅର୍ଥ ରୋଜଗାର ହୁଏ, ତାହା ଏହି ଜେନେରେସନଙ୍କୁ ଭଲ ଭାବେ ଜଣା ।
ଜେନେରେସନ ଅଲ୍ଫା: ୨୦୧୦-୨୦୨୪
ପ୍ରଥମ ପୀଢ଼ି ଭାବେ ଏମାନଙ୍କର ଜନ୍ମ ପୂବର୍ରୁ ହିଁ ସୋସିଆଲ ମିଡ଼ିଆ ଓ ଇଣ୍ଟରନେଟ ପ୍ଲାଟଫର୍ମ ରହିଥିଲା । ଏମାନେ ସବୁଠାରୁ କମ୍ ବୟସର ନୂଆ ପୀଢ଼ି ଅଟନ୍ତି । ଏହି ଜେନେରେସନର ଶିଶୁଙ୍କ ପିତା-ମାତା ଇଣ୍ଟରନେଟ, ମୋବାଇଲ ଫୋନ ଓ ସୋସିଆଲ ମିଡ଼ିଆ ସହିତ ବଡ଼ ହୋଇଥିଲେ ।
ଜେନେରେସନ ବୀଟା: ୨୦୨୫-୨୦୩୯
୨୦୨୫ ଜାନୁଆରୀ ୧ ଠାରୁ ବୀଟାର ଯାତ୍ରା ଆରମ୍ଭ ହେବ । ବର୍ଷ ୨୦୨୫ରେ ଯେଉଁ ଶିଶୁମାନଙ୍କର ଜନ୍ମ ହେବ, ସେମାନଙ୍କୁ ‘ବୀଟା କୀଡସ’ କୁହାଯିବ । ଏହି ଶିଶୁମାନେ ଏପରି ଦୁନିଆରେ ବଡ଼ ହେବେ, ଯେଉଁଠାରେ ଟେକ୍ନୋଲୋଜି ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବେ ପରିଗଣିତ ହେବ । ଜେନେରେସନ ବୀଟାର ଜୀବନରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ହସ୍ତକ୍ଷେପ ଅଧିକ ଦେଖିବାକୁ ମିଳିବ ।