ଅନ୍ତିମ ଯାତ୍ରାରେ ବାହାରିବେ ଜେନେରାଲ

1 min read

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତଙ୍କ ଅନ୍ତିମ ଯାତ୍ରା । ଦେଶର ବୀର ପୁତ୍ରଙ୍କ ଅନ୍ତିମ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ସିଡିଏସଙ୍କ ଅନ୍ତିମ ସଂସ୍କାରରେ ୮୦୦ ସୈନିକ ସଲାମୀ ଦେବେ । ଗୁରୁବାର ସନ୍ଧ୍ୟାରେ ସିଡିଏସ ବିପିନ ରାଓ୍ୱତଙ୍କ ସହ ସମସ୍ତ ୧୩ ଜଣଙ୍କ ପାର୍ଥିବ ଶରୀର ପାଲମ ଏୟାରବେସରେ ପହଞ୍ଚିବା ପରେ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡେଭାଲ ଓ ତିନି ସେନାର ମୁଖ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପାଲମ ଏୟାରବେସରେ ଶ୍ରଦ୍ଧାଞ୍ଜଳି ପରେ ସିଡିଏସ ବିପିନ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କୁ ଦିଲ୍ଲୀ ସ୍ଥିତି ସରକାରୀ ବାସଭବନକୁ ଅଣାଯାଇଥିଲା । ଆଜି ସକାଳୁ ଦେଶର ବୀର ପୁତ୍ର ରାଓ୍ୱତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନରେ ଭିଡ ଜମିଥିଲା । ରାଜନେତାଙ୍କଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଇଥିଲେ ଶେଷ ଶ୍ରଦ୍ଧାଞ୍ଜଳି । ଜେନେରାଲ ରାଓ୍ୱତଙ୍କ ବାସଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ୱାଲ, ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କଂଗ୍ରେସ ନେତା ରାହୁଲ ଗାନ୍ଧୀ, NSA ଅଜିତ ଡୋଭାଲ ଓ ତିନି ସେନାର ମୁଖ୍ୟଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିପିନ ରାଓ୍ୱତଙ୍କ ବାସ ଭବନରେ ପହଞ୍ଚିଥିଲେ ।

 

ସୂଚନା ଅନୁସାରେ ଆଉ କିଛି ସମୟ ମଧ୍ୟରେ ଏକ ଶୋଭାଯାତ୍ରା ମଧ୍ୟରେ ତାଙ୍କ ପାର୍ଥିବ ଶରୀରକୁ ଶ୍ମଶାନକୁ ନିଆଯିବ । ଦିନ ୩.୩୦ରୁ ୪ ଘଟିକା ମଧ୍ୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ସେହିପରି ୪-୪.୧୫ ମଧ୍ୟରେ ଭିଭିଆଇପି ବିପିନ ରାଓ୍ୱତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ୪.୧୫ରୁ ୪.୩୦ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର ପାଇଁ ପାରିବାରିକ ରିତୀନୀତି ଅନୁଷ୍ଠିତ ହେବ । ୪.୪୫ରେ ଜେନେରାଲଙ୍କ ଅନ୍ତିମ ସଂସ୍କାର ହେବ ।

Leave a Reply