ଗେଣ୍ଡୁ ଫୁଲ କରିଛି ଲାଭବାନ

ବାଙ୍କୀ: ଗେଣ୍ଡୁ ଫୁଲ ଚାଷ କରି ସ୍ବାବଲମ୍ବୀ । ବାଙ୍କୀ ଡମପଡା ବ୍ଲକ କୁଶପଙ୍ଗି ଗାଁର ଗତିକାନ୍ତ ବେଉରା ନିଜର ୧୮ ଗୁଣ୍ଠ ଜମିରେ ଫୁଲ ଚାଷ କରିଛନ୍ତି । ପ୍ରତିବର୍ଷ ସେ ପରିବା ଚାଷ କରିଆସୁଥିଲେ ମଧ୍ୟ ପରିବା ଚାଷରୁ ସେତେ ଭଲ ଲାଭ ମିଳୁ ନଥିଲା ।  ଗେଣ୍ଡୁ ଫୁଲ ଚାଷରୁ ଭଲ ଲାଭ ମିଳୁଥିବାରୁ ଫୁଲ ଚାଷ ପ୍ରତି ମନ ବଳାଇଛନ୍ତି ଗତିକାନ୍ତ ।

ସବୁଜ ପତ୍ରର ଗହଳି ଭିତରେ ଖେଳୁଛି ଗେଣ୍ଡୁ ଫୁଲ । ରାସ୍ତା ପାର୍ଶ୍ବରେ ଢାଙ୍ଗି ହୋଇଛି ସୁନେଲୀ ଚାଦର। ବାଙ୍କୀ ଡମପଡା କୁଶପଙ୍ଗି ଗାଁର ଜଣେ ଯୁବ ଚାଷୀ ଗତିକାନ୍ତ ବେଉରା ଗେଣ୍ଡୁ ଫୁଲ ଚାଷ କରି ହୋଇଛନ୍ତି ସ୍ବାବଲମ୍ବୀ । ଫୁଲ ଚାଷରୁ ହେଉଛି ଭଲ ରୋଜଗାର। କଲିକତାରୁ ବିହନ ମଞ୍ଜି ଆଣି ପ୍ରଥମେ ଚାରା ପକାଇଥିଲେ ଗତିକାନ୍ତ । ୨ ଥର ଚାରା ନଷ୍ଟ ହୋଇଯିବା ପରେ ତୃତୀୟ ଥର ହେଲା ଭଲ ଫୁଲ । ଇଫିକୋ ଜରିଆରେ ସାର ଓ କୀଟନାଶକ ପ୍ରୟୋଗ କରି ପ୍ରଥମେ ୧୮ ଗୁଣ୍ଠ ଜମିରେ ଗେଣ୍ଡୁଫୁଲ ଚାଷ କରିଥିଲେ । ଚାଷରେ ପାଖାପାଖି ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୪୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ରୋଜଗାର ହୋଇଛି ।

ଚାଷ କାର୍ଯ୍ୟରେ ଗତିକାନ୍ତଙ୍କୁ ତାଙ୍କ ଝିଅ ସହଯୋଗ କରୁଛନ୍ତି । ପାଠ ପଢିବା ସହିତ ଚାଷ କାର୍ଯ୍ୟରେ ବାପାଙ୍କୁ ସାହାଯ୍ୟ କରିବା କୁ ସେ ଆଗ୍ରହ ରଖନ୍ତି। ଫୁଲ ତୋଳିବା ଠାରୁ ଆରମ୍ଭ କରି ପାଣି ମଡାଇବା ପର୍ଯ୍ୟନ୍ତ ପ୍ରାୟ କାର୍ଯ୍ୟରେ ଗତିକାନ୍ତଙ୍କୁ ଝିଅଙ୍କ ପକ୍ଷରୁ ଥାଏ ସହଯୋଗ । ଗେଣ୍ଡୁ ଫୁଲ ଚାଷରେ ଭଲ ଲାଭ ମିଳୁଥିବାରୁ ଆଗାମୀ ବର୍ଷ ସମ୍ପୂର୍ଣ୍ଣ ପରିବା ଚାଷକୁ ବାଦ ଦେଇ କେବଳ ଗେଣ୍ଡୁଫୁଲ ଚାଷ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ଗତିକାନ୍ତ । ଏହି ଚାଷକୁ ଦେଖି ସ୍ଥାନୀୟ ଅଞ୍ଚଳର ଅନେକ ଚାଷୀ ଅନୁପ୍ରାଣିତ ହୋଇଛନ୍ତି ।