ଗାଜା ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ପଛରେ ନାହିଁ ଇସ୍ରାଏଲର ହାତ

ଗାଜା: ଗାଜା ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ପଛରେ ନାହିଁ ଇସ୍ରାଏଲର ହାତ। ଅପର ପକ୍ଷରୁ ଏହି ଆକ୍ରମଣ ହୋଇଥାଇପାରେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେଲ ଆଭିଭ ଗସ୍ତରେ ଆସି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୁଦ୍ଧ ପ୍ରସଙ୍ଗରେ କରିଛନ୍ତି ଆଲୋଚନା । ଇହୁଦି ରାଷ୍ଟ୍ର ଗଠନକୁ ଆମେରିକା ସମର୍ଥନ କରିବ ବୋଲି କହିଛନ୍ତି ବାଇଡେନ।

ସେ କହିଛନ୍ତି ୩୧ ଆମେରିକୀୟ ସମେତ ୧୩୦୦ରୁ ଅଧିକ ଲୋକଙ୍କ ହତ୍ୟା ପଛରେ ରହିଛି ହମାସ। ସେମାନେ ଆଇଏସଆଇଏସ ପରି ଆତଙ୍କ ସୃଷ୍ଟି କରିଚାଲିଛନ୍ତି । ପାଲେଷ୍ଟାଇନବାସୀଙ୍କ ପ୍ରତିନିଧିତ୍ବ ହମାସ କରୁନାହିଁ। ଇସ୍ରାଏଲ ଲାଗି ଆମେରିକା ସର୍ବଦା ଠିଆ ହେବ ବୋଲି କହିଛନ୍ତି ବାଇଡେନ। ଇସ୍ରାଏଲ ଗସ୍ତ ପରେ ବାଇଡେନ ଜୋର୍ଡାନ ଯିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଏହି ଗସ୍ତ ବାତିଲ ହୋଇଛି।

ବାଇଡେନଙ୍କ ଇସ୍ରାଏଲ ଗସ୍ତକୁ ବହୁ ଆରବ ରାଷ୍ଟ୍ର ବିରୋଧ କରିଆସୁଛନ୍ତି। ଜୋର୍ଡାନ ବୈଦେଶିକ ମନ୍ତ୍ରୀ ଆୟାମାନ ସଫାଦି କହିଛନ୍ତି ଜୋର୍ଡାନ ରାଜା ଅବଦୁଲ୍ଲା, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ ସିସି, ପାଲେଷ୍ଟାଇନ କର୍ତ୍ତୃପକ୍ଷ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ସହ ବାଇଡେନଙ୍କ କଥାବାର୍ତ୍ତା ବାତିଲ ହୋଇଛି ।