ଦାୟିତ୍ୱ ବଢ଼ାଇଛି, ଅଧିକ ସାହିତ୍ୟ ସୃଷ୍ଟି ପାଇଁ ପ୍ରେରଣା ଯୋଗାଇଛି: ଗାୟତ୍ରୀବାଳା ପଣ୍ଡା

1 min read

କଟକ: ଦୈନିକ ଖବରକାଗଜ ‘ସମାଜ’ ପକ୍ଷରୁ ସାହିତ୍ୟ ପତ୍ରିକା ‘ସତ୍ୟବାଦୀ’ର ବାର୍ଷିକ ସାରସ୍ୱତ ସମାରୋହ କଟକ ସାରଳା ଭବନରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ମୁଖ୍ୟ ଅତିଥି ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଦେବଦାସ ଛୋଟରାୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ପତ୍ରିକା ମାଧ୍ୟମରେ ଅନେକ ନବାଗତ ଓ ପ୍ରତିଷ୍ଠିତ ସାରସ୍ୱତ ସାଧକ ତାଙ୍କ ସୃଷ୍ଟିକୁ ପ୍ରକାଶ କରିବାର ସୁଯୋଗ ପାଇବା ସହ ମାର୍ଗଦର୍ଶନ କରିଆସୁଛନ୍ତି । ଏହି ଧାରା ଜାରି ରହୁ ବୋଲି କହିଥିଲେ ହରିବଂଶ ।

ଏହି ଅବସରରେ ୨୦୨୦-୨୧ ବର୍ଷ ପାଇଁ ସାରସ୍ୱତ ସାଧନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗାୟତ୍ରୀବାଳା ପଣ୍ଡା, ସୁନାକର ରାଉତ, ନୀଳାଦ୍ରି ଭୂଷଣ ହରିଚନ୍ଦନ, ବ୍ରଜମୋହନ ମିଶ୍ର ପ୍ରମୁଖ ୧୨ ଜଣଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ସମାଜ ପ୍ରତି ଆହୁରି ଦାୟିତ୍ୱ ବଢାଇଛି ଓ ଅଧିକ ସାହିତ୍ୟ ସୃଷ୍ଟି ପାଇଁ ପ୍ରେରଣା ଯୋଗାଇଛି ବୋଲି ସମ୍ମାନିତ ପ୍ରତିଭା ଗାୟତ୍ରୀବାଳା ପଣ୍ଡା କହିଛନ୍ତି । ଉତ୍ସବରେ ଅନୁଷ୍ଠାନର ମୁଖ୍ୟ ନିରଞ୍ଜନ ରଥ ସଭାପତିତ୍ୱ କରିଥିବା ବେଳେ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ରାଜେନ୍ଦ୍ର ଜେନା, ସମାଜ ସମ୍ପାଦକ କାନନବିହାରୀ ଦାଶ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରର ପତ୍ରିକାର ସମସ୍ତ ଲେଖକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା