ଗାୟତ୍ରୀବାଳା ପଣ୍ଡାଙ୍କୁ ଟାଇମ୍ସ ପାଓ୍ବାର ଓମେନ ସମ୍ମାନ

ଭୁବନେଶ୍ବର: ସାହିତ୍ୟିକ ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ଟାଇମ୍ସ ପାଓ୍ବାର ଓମେନ ସମ୍ମାନ ୨୦୨୩ ପ୍ରଦାନ । ଗାୟତ୍ରୀବାଳା ପଣ୍ଡା ନିଜ କଲମ ମୁନରେ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣି ସମାଜ ସଂସ୍କାର କ୍ଷେତ୍ରରେ ନୂଆ ଅଧ୍ୟାୟର ଆରମ୍ଭ କରିଥିବାରୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

ପୂର୍ବରୁ ଡକ୍ଟର ଗାୟତ୍ରୀବାଳା ପଣ୍ଡା ମହୁରି ସମ୍ମାନରେ ସମ୍ମାନିତ ହୋଇଥିଲେ । ଏଥିସହ ପ୍ରଖ୍ୟାତ କବିତା ସଂକଳନ ଦୟାନଦୀ ଲାଗି ଗାୟତ୍ରୀବାଳାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଦୀର୍ଘ ତିନି ଦଶନ୍ଧି ଧରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସାଧନା ଜାରି ରଖିଛନ୍ତି ଗାୟତ୍ରୀବାଳା । ଓଡ଼ିଆରେ ୧୨ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ୨ଟି ଉପନ୍ୟାସ, ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ କରି ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଛନ୍ତି । ଉଭୟ ହିନ୍ଦୀ ଓ ଇଂରାଜୀରେ ବି ପ୍ରକାଶିତ ହୋଇଛି ତାଙ୍କ କବିତା ଓ ଗଳ୍ପ ସଂକଳନ ।

ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ବିନୀ କବିତା ସମ୍ମାନ, ଫକିର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଗାୟତ୍ରୀବାଳା । ଆଜିର କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଷିଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସେହିପରି ସ୍ୱାସ୍ଥ୍ୟ, ସାହିତ୍ୟ, ଗମନାଗମନ, କଳା ସଂସ୍କୃତି, ସାମାଜିକ ନ୍ୟାୟ, ଶିକ୍ଷା କ୍ଷେତ୍ରରେ ସାମାଜିକ ସଂସ୍କାର ଆଣିବାରେ ଉଲ୍ଲେଖନୀୟ ଅବଦାନ ଥିବା ୩୨ ଜଣ ବିଶିଷ୍ଟ ମହିଳାଙ୍କୁ ଟାଇମ୍ସ ପାଓ୍ବାର ଓମେନ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଛି । ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଓଡ଼ିଆ ଭାଷା ସଂସ୍କୃତି ଓ କଳା କ୍ଷେତ୍ରରେ ଅବଦାନ ପାଇଁ ସୁଲେଖିକା ଡକ୍ଟର ଇତିରାଣୀ ସାମନ୍ତ, ପ୍ରଶାସନିକ କ୍ଷେତ୍ରରେ ଅବଦାନ ପାଇଁ ଝାରସୁଗୁଡା ଜିଲ୍ଲାପାଳ ଆବୋଲି ନରଭାନେ, ବାଲେଶ୍ବର ଏସପି ସାଗରିକା ନାଥ ମଧ୍ୟ ସମ୍ମାନିତ ହୋଇଛନ୍ତି ।

ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ସୁଲୋଚନା ଦାସ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ଆଣିଥିବା ଶିକ୍ଷାବିତ ଇପ୍ସିତା ଶତପଥୀ ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତର ମାଧୁରୀ ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଛି । ଏହି ଅବସରରେ ମହିଳାମାନଙ୍କର ସାମାଜିକ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ଓ ରହିଥିବ ବୋଲି ରାଜ୍ୟପାଳ କହିଛନ୍ତି । ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିବା ବିଶିଷ୍ଟ ମହିଳାମାନେ ଅନ୍ୟ ମହିଳାଙ୍କୁ ଅଧିକରୁ ଅଧିକ ଉତ୍ସାହ ପ୍ରଦାନ କରି ସାମାଜିକ ପ୍ରଗତି କ୍ଷେତ୍ରରେ ପାରଦର୍ଶିତା ଆଣିବାରେ ସହାୟକ ହେବ ବୋଲି ରାଜ୍ୟପାଳ କହିଥିଲେ ।