୯ ବର୍ଷରେ ଗ୍ୟାସ ଦର ତିନି ଗୁଣା, ହାଣ୍ଡିଶାଳରେ ଚଡ଼କ
1 min read
ଭୁବନେଶ୍ୱର: ପ୍ରତିଦିନ ଦରଦାମ ହୁହୁ ହୋଇ ବଢୁଥିବା ବେଳେ ଗ୍ୟାସ ଦରବୃଦ୍ଧି ଜନତାଙ୍କୁ କନ୍ଦାଇଲାଣି । ସାଧାରଣ ଜନତା ଦରଦାମ୍ ବୃଦ୍ଧିରେ ଅତିଷ୍ଠ ହେଉଥିବା ବେଳେ ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛି ବିଜେଡି। ପୁଣି ଗ୍ୟାସ ଦର ୫୦ଟଙ୍କା ବଢାଇଛନ୍ତି କେନ୍ଦ୍ର ସରକାର, ସାଧାରଣ ଲୋକଙ୍କୁ ଏହା ବାଧୁଛି।
ହେଲେ ଏନେଇ ମୁହଁ ଖୋଲୁନାହାନ୍ତି ରାଜ୍ୟ ବିଜେପି ନେତା। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଆସିବା ପରେ ଉଜ୍ଜ୍ବଳା ଯୋଜନାରେ ଘରେ ଘରେ ସହଜ ଓ ସୁଲଭ ମୂଲ୍ୟରେ LPG ସିଲିଣ୍ଡର ଦିଆଯିବ ବୋଲି କହିଥିଲେ। ହେଲେ ୨୦୧୪ରେ ଗ୍ୟାସ ସିଲିଣ୍ଡର ଦର ୪୧୦ ଥିବା ବେଳେ ଏବେ ୧୧ଶହ ଟପିଲାଣି। ମାତ୍ର ୮, ୯ ବର୍ଷ ଭିତରେ ଗ୍ୟାସ ଦର ତିନି ଗୁଣା ବଢିଛି।
କରୋନା ସମୟରେ ଗରିବଙ୍କ ପାଇଁ ଅତିରିକ୍ତ ୫କିଲୋ ଚାଉଳ ବ୍ୟବସ୍ଥା କରାଯାଇଥିଲା। ହେଲେ ଜାନୁଆରି ୧ରୁ ତାକୁ କାଟି ଦେଇଛନ୍ତି କେନ୍ଦ୍ର ସରକାର। ଚାଉଳ କାଟିଲେ, ରାନ୍ଧିବା ପାଇଁ ଆବଶ୍ଯକ ଗ୍ୟାସ ସିଲିଣ୍ଡର ଦର ବି ବଢ଼ାଇ ଦେଲେ। ସବୁ ଘରେ ଏହାର ପ୍ରଭାବ ପଡିଛି। ଏବେ ଏହା ସମସ୍ତଙ୍କୁ କନ୍ଦାଇବାକୁ ଲାଗିଲାଣି । ହେଲେ ବିଜେପି ଚୁପ ରହିଛି।