ଗରୁଡ଼ ପୁରାଣର ଗହନ କଥା -୨

ଭୁବନେଶ୍ୱର:  ଆପଣ ମୃତ୍ୟୁକୁ ଭୟ କରୁଛନ୍ତି କି ? ଯଦି ହଁ ତେବେ ଜନ୍ମମୃତ୍ୟୁ ରହସ୍ୟ ଆପଣଙ୍କୁ ବୁଝିବାକୁ ପଡ଼ିବ । ଜନ୍ମମୃତ୍ୟୁ ରହସ୍ୟ ଜାଣିବା ପରେ ଆପଣ ନିଜ ଜୀବନକୁ ଶୃଙ୍ଖଳିତ ଆଉ ପାପମୁକ୍ତ କରିପାରିବେ । ଗୋଟିଏ କଥା ଜାଣି ରଖନ୍ତୁ, ଶରୀରର ମୃତ୍ୟୁ ଅଛି ହେଲେ ଆତ୍ମାର ମୃତ୍ୟୁ ନାହିଁ , ଏହା ଗୋଟିଏ ଶରୀରରୁ ଯାଇ ଅନ୍ୟ ଶରୀରରେ ପ୍ରବେଶ କରିଥାଏ । ଗରୁଡ଼ ପୁରାଣରେ କୁହାଯାଇଛି, ପ୍ରାଣୀ ତା’ର କର୍ମାନୁସାରେ ପୁଣ୍ୟାତ୍ମା କି ପାପାତ୍ମା ନିର୍ଣ୍ଣୟ ହୋଇଥାଏ । ପୁଣ୍ୟାତ୍ମାର ମାର୍ଗ ସର୍ବଦା ସଦ୍ ମାର୍ଗରେ ଯାଇଥାଏ  । ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ପାଇଁ ସ୍ୱର୍ଗପୁରକୁ ଆତ୍ମା ଗମନ କରିଥାଏ  । ଯଦି ପୁଣ୍ୟାତ୍ମା ଗୋଟିଏ ଜନ୍ମରେ କୌଣସି କାର୍ଯ୍ୟ ବାକି ରଖିଥାଏ ତେବେ ସେ ତା’କୁ ପୂରା କରିବା ପାଇଁ ପୁଣିଥରେ ପୁନର୍ଜନ୍ମ ନିଏ । ପୁଣ୍ୟାତ୍ମା ସର୍ବଦା ଶ୍ରେଷ୍ଠ ଜନ୍ମ ଲାଭ କରିଥାଏ ।

ମୃତ୍ୟୁ ପରେ ପାପାତ୍ମାର ମାର୍ଗ ଅତ୍ୟନ୍ତ କଷ୍ଟ ଦାୟକ । ଯମଦୂତ ପାପାତ୍ମାକୁ ଗୋଟିଏ ବର୍ଷ ଭୟଙ୍କର ଓ ନିଷ୍ଠୁର ଯନ୍ତ୍ରଣା ଦେଇ ଯମରାଜଙ୍କ ପାଖରେ ପହଞ୍ଚାନ୍ତି । ପାପାତ୍ମାର ସବୁ  କୁକର୍ମ ଏବଂ ଯମଦୂତଙ୍କ ଦ୍ୱାରା ଦିଆଯାଇଥିବା ଯନ୍ତ୍ରଣାର ହିସାବ କିତାବ ଯମରାଜଙ୍କ ସାମନାରେ ହୁଏ । ଯମରାଜ ପାପାତ୍ମାର ସମସ୍ତ କଥା ଏବଂ ଦିଆଯାଇଥିବା ଦଣ୍ଡକୁ ବିଚାର କରି ପୁନର୍ଜନ୍ମ ପାଇଁ ତା’କୁ ଭୂଲୋକକୁ ପଠାନ୍ତି  । ତେବେ ଏଠି ପ୍ରଶ୍ନ ଉଠୁଛି ଆତ୍ମା ନର୍କରେ ଏତେ ଯନ୍ତ୍ରଣା ପାଇସାରିବା ପରେ ପୁଣି କାହିଁକି ପୁନର୍ଜନ୍ମ  ?

 ନର୍କରେ ସଜା ପାଇବା ପରେ ପୁନର୍ଜନ୍ମ କ’ଣ ପାଇଁ ?

ଭାଗବତ କହିଛି, ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ । ଅର୍ଥାତ୍ ଯେଉଁ ପ୍ରାଣୀ ମର୍ତ୍ତ୍ୟମଣ୍ଡଳରେ ଜନ୍ମ ହୁଏ ସେ ଦିନେ ନା ଦିନେ ମୃତ୍ୟୁ ବରଣ କରିଥାଏ । ମୃତ୍ୟୁପରେ ଆତ୍ମା କେଉଁ ଶରୀରରେ ପ୍ରବେଶ କରିବ ତାହା କେବଳ ତା’ର କର୍ମ ଫଳ ଉପରେ ନିର୍ଭର କରିଥାଏ । ମନୁଷ୍ୟ ମଧ୍ୟ  ତା’ର କର୍ମଫଳ ଅନୁଯାୟୀ ଭୂଲୋକରେ ପୁନର୍ଜନ୍ମ ନେଇଥାଏ  । କେଉଁ କର୍ମ କଲେ ମନୁଷ୍ୟ କେଉଁ ଜନ୍ମ ନେବ ତାହା ଗରୁଡ଼ ପୁରାଣରେ କୁହାଯାଇଛି ,  ଜୀବାତ୍ମାର କର୍ମଫଳ ଏତେ ପାପରେ ବୁଡ଼ି ରହିଥାଏ ଯେ ତାକୁ ନର୍କ ଦଣ୍ଡ ମିଳିବା ପରେ ମଧ୍ୟ ପୁନର୍ଜନ୍ମ ନେବାକୁ ପଡ଼େ । ଜୀବାତ୍ମା ନର୍କଦଣ୍ଡ ଭୋଗିବା ପରେ ଭୂପୃଷ୍ଠରେ ଜନ୍ମ ନେଇ କର୍ମ ଅନୁସାରେ ବିଭିନ୍ନ ଯୋନିରେ ଶାରୀରିକ, ମାନସିକ ଏବଂ ସାମାଜିକ କଷ୍ଟ ଭୋଗିଥାଏ । ଏହାକୁ ପୁରାଣରେ କର୍ମଫଳ ସିଦ୍ଧାନ୍ତ କୁହାଯାଇଛି  । କର୍ମଫଳ ସିଦ୍ଧାନ୍ତ ଅନୁସାରେ ପାପ ଯେତେ ବଡ଼ ହୋଇଥାଏ ସଜା ମଧ୍ୟ ସେତିକି ବଡ଼ ହୋଇଥାଏ  । ପାପ କମ୍ ହେଲେ ସଜା ମଧ୍ୟ କମ୍ ହୋଇଥାଏ  ।

 

କେଉଁ କର୍ମ କଲେ କେଉଁ ଜନ୍ମ ଲାଭ ହୁଏ ?

ଗରୁଡ଼ ପୁରାଣରେ ପୂର୍ବଜନ୍ମ ବିଷୟରେ କୁହାଯାଇଅଛି ଯେ ପ୍ରାଣୀ ମାତୃ ଗର୍ଭରେ ବଢୁଥିବା ସମୟରେ ତାକୁ ତା’ର ପୂର୍ବଜନ୍ମ ବିଷୟରେ ସବୁ ଜଣାଥାଏ , ସେ କିପରି ମୃତ୍ୟୁବରଣ କରିଥିଲା, କ’ଣ କ’ଣ ପାପ କରିଥିଲା ଆଦି କଥା । କିନ୍ତୁ ଯେତେବେଳେ ସେ ମାତୃ ଗର୍ଭରୁ ବାହାରକୁ ଆସେ ଏବଂ ପ୍ରକୃତିର ବାୟୁ ତାକୁ ସ୍ପର୍ଶ କରେ ସେତେବେଳେ ସେ ତାର ପୂର୍ବଜନ୍ମକୁ ପୂରା ଭୁଲି ଯାଏ  । ଏହା ହେଉଛି ଜନ୍ମ ମୃତ୍ୟୁ ଚକ୍ରର ନିୟମ  ।

ଯେଉଁ ବ୍ୟକ୍ତି ନିଜର ପ୍ରିୟ ବନ୍ଧୁଙ୍କୁ ଅପମାନିତ କରିଥାଏ କି ତାଙ୍କ ସହ ବିଶ୍ୱାସଘାତକତା କରିଥାଏ ସେଭଳି ବ୍ୟକ୍ତିର ଆତ୍ମା ପୁନର୍ଜନ୍ମରେ  ଗଧ ଜନ୍ମ ପାଇଥାଏ  । କର୍ମଫଳ ସିଦ୍ଧାନ୍ତର ନିୟମ ଅନୁସାରେ  ଯଦି ଆପଣ ଆପଣଙ୍କ ସାଙ୍ଗର ମନରେ ବହୁତ କଷ୍ଟ ଦେଇଥିବେ ଏବଂ ସେ ସେହି ଆଘାତକୁ ସହ୍ୟ କରିପାରି ନଥିବ, ତେବେ ବୁଝିଯିବା ଉଚିତ ଯେ ପୁନର୍ଜନ୍ମରେ ଆପଣ ୨୦ ରୁ ୨୫ ବର୍ଷ ଗଧ ରୂପରେ ଜନ୍ମ ନେଇ ମାଲିକର ଅତ୍ୟାଚାର ସହ୍ୟ କରିବେ । ଯଦି ଆପଣଙ୍କର ପାପ କ୍ଷମାଯୋଗ୍ୟ ହୋଇଥିବ ତେବେ କର୍ମଫଳ ସିଦ୍ଧାନ୍ତ ନିୟମାନୁସାରେ ଆପଣ ଗଧ ଜନ୍ମରୁ ଶୀଘ୍ର ମୁକ୍ତ ହେବେ  ।

ଯେଉଁବ୍ୟକ୍ତି ନିଜର ବାପା ମାଙ୍କୁ ପଚାରେ ନାହିଁ ତାଙ୍କ ମନରେ କଷ୍ଟ ଦିଏ ଏବଂ ଘର ଥାଇ ତାଙ୍କୁ ଜରାଶ୍ରମରେ ରଖିଥାଏ ସେହି ବ୍ୟକ୍ତି ଆସନ୍ତା ଜନ୍ମରେ କଇଁଛ ଶରୀରରେ ଜନ୍ମ ନେଇଥାଏ । କଇଁଛର ଆୟୁଷ ୮୦ରୁ ୧୨୦ ବର୍ଷ ହୋଇଥାଏ ତା’ ମାନେ ଏ କର୍ମଫଳର ସଜା ବହୁତ ଲମ୍ବା ହୋଇଥାଏ । କୁହାଯାଏ ଯେ, କଇଁଚ୍ଛର ପୂର୍ବଜନ୍ମର ପାପ ଏତେ ଗଭୀର ହୋଇଥାଏ ଯେ ତାକୁ ମୃତ୍ୟୁ ସବୁବେଳେ ଗୋଡ଼ାଉଥାଏ । ତେଣୁ ସେ ନିଜ ଶରୀରକୁ  ସବୁ ବେଳେ ଲୁଚାଇ ରଖିଥାଏ ।

ଯେଉଁ ବ୍ୟକ୍ତି ମାଲିକର ବିଶ୍ୱସନୀୟ ହୋଇ ମାଲିକ ସହ ବିଶ୍ୱାସଘାତ କରିଥାଏ, ସେ ପରଜନ୍ମରେ ମାଙ୍କଡ଼ ଶରୀରରେ ପ୍ରବେଶ କରିଥାଏ । ଏହି ଜୀବର ଜୀବନ କାଳ ୨୦ ବର୍ଷ ହୋଇଥାଏ  ।

ଯିଏ ଅନ୍ୟର ଧନ ଯଥା ସୁନା, ଗହଣା, ଟଙ୍କା ଆଦିକୁ ଛଳନା ଏବଂ କପଟତା  କରି ନେଇଯାଏ ସେହି ବ୍ୟକ୍ତି ପରଜନ୍ମରେ କୀଟ, ପୋକ, ମାଛି ଆଦି ଜନ୍ମ ନେଇଥାଏ  ।

କୁଆ ଜନ୍ମ ସେହିବ୍ୟକ୍ତି ଧାରଣ କରେ ଯିଏ ଘରକୁ ଆସିଥିବା ବ୍ରାହ୍ମଣ, ଅତିଥି ଓ ଗୁରୁଜନଙ୍କୁ ସମ୍ମାନ ଦିଏ ନାହିଁ  । ସେଥିପାଇଁ କୁଆ ସାରାଜୀବନ ଏକ ଅସୁନ୍ଦର ରୂପ ଧାରଣ କରି ଚାରିଆଡ଼େ ବୁଲେ  । ତାକୁ କାହାରି ଆଦର କି ପ୍ରଶଂସା ମିଳେନାହିଁ  ।

କୃତଘ୍ନ ବ୍ୟକ୍ତି ବିଚ୍ଛା ଜନ୍ମ ଲାଭ କରିଥାଏ ବୋଲି କୁହାଯାଏ ।

କର୍ମଫଳ ସିଦ୍ଧାନ୍ତ ଅନୁସାରେ କର୍ମ ହିଁ ଭଗବାନ । ଆପଣ ଯେତେ ଭକ୍ତି କଲେ ମଧ୍ୟ ଆପଣଙ୍କୁ କର୍ମ ଫଳ ଭୋଗିବାକୁ ପଡ଼ିବ  ।  ନର୍କ ଯନ୍ତ୍ରଣାରୁ ମୁକ୍ତି ପାଇବା ସହ ଏ ଜନ୍ମରେ ଏପରି କର୍ମ କରିବା ଉଚିତ ଯାହାଫଳରେ ଆତ୍ମାର ମୋକ୍ଷ୍ୟ ପ୍ରାପ୍ତି ହୋଇପାରିବ  ।

Leave a Reply