ଆସନ୍ତା ୨୦ରୁ ଦେଶର ୧୧୬ ଜିଲ୍ଲାରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’, ତାଲିକାରେ ଓଡ଼ିଶାର ୪ ଜିଲ୍ଲା

ନୂଆଦିଲ୍ଲୀ: କଣ କରିବେ କରୋନା ଲକଡାଉନ୍ ପାଇଁ ଘରକୁ ଫେରଥିବା ପ୍ରବାସୀ ଶ୍ରମିକ ? ଗାଁରେ ଘର ପାଖରେ ମିଳିବ କି ପର୍ଯ୍ୟାପ୍ତ କାମ ? ନା ପୁଣି ପ୍ରବାସୀ ଫେରିବେ ପର ରାଇଜ ? ଏସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । ଘରେ ଫେରନ୍ତା ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଅଭିଯାନ । ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’କୁ ଆସନ୍ତା ୨୦ ତାରିଖରେ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୬ ରାଜ୍ୟର ୧୧୬ ଦାଦନ ପ୍ରବଣ ଜିଲ୍ଲାରେ ଏହା ଲାଗୁ ହେବ । ଏନେଇ ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଦେଶର ବିଭିନ୍ନ ଭାଗରୁ ଲକଡାଉନ୍ ପାଇଁ ଘରକୁ ଫେରି ଆସିଥିବା ଶ୍ରମିକ କାମ ପାଇବେ । ୬ ରାଜ୍ୟର ୧୧୬ ଜିଲ୍ଲାରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ ହେବ । ଜୁନ୍ ୨୦ରେ ଯୋଜନାର ଲଞ୍ଚିଂ ହେବାକୁ ଥିବାବେଳେ ଏଥିରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସମ୍ବନ୍ଧିତ ବିଭାଗ ଭିଡିଓ କନଫରେନ୍ସିଂ ଜରିଆରେ ଭାଗନେବେ । ଏଥିପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରବାସୀ ଶ୍ରମିକଙ୍କୁ ଘର ପାଖରେ ୨୫ ପ୍ରକାର କାମ ଯୋଗାଇ ଦିଆଯିବ ।

ବିହାରର ସର୍ବାଧିକ ୩୨ ଜିଲ୍ଲା (୧୨ ଆଂକାକ୍ଷା ଜିଲ୍ଲା), ଉତ୍ତରପ୍ରଦେଶର ୩୧ ଜିଲ୍ଲା (୫ ଆଂକାକ୍ଷା ଜିଲ୍ଲା), ମଧ୍ୟପ୍ରଦେଶର ୨୪ ଜିଲ୍ଲା (୪ ଆଂକାକ୍ଷା ଜିଲ୍ଲା), ରାଜସ୍ଥାନର ୨୨ ଜିଲ୍ଲା (୨ ଆଂକାକ୍ଷା ଜିଲ୍ଲା), ଓଡ଼ିଶାର ୪ ଜିଲ୍ଲା (ଗୋଟିଏ ଆଂକାକ୍ଷା ଜିଲ୍ଲା) ଓ ଝାଡ଼ଖଣ୍ଡର ୩ ଆଂକାକ୍ଷା ଜିଲ୍ଲାରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ ହେବ । ଏହି ଅଭିଯାନରେ ଘର ଫେରିଥିବା ପ୍ରବାସୀ ଶ୍ରମିକ ୧୨୫ ଦିନର କାମ ପାଇବେ ।

‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ୨୫ ପ୍ରକାର କାମ ଯୋଗାଇ ଦିଆଯିବ । ୬ ରାଜ୍ୟର ୨୫ ହଜାର ଶ୍ରମିକଙ୍କୁ ୧୨୫ ଦିନର କାମ ମିଳିବ । ରାଜ୍ୟର ଆଂକାକ୍ଷା ଜିଲ୍ଲା ସୋନପୁର ସମେତ ଗଞ୍ଜାମ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

Leave a Reply