ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥା ଦେଶରେ ସର୍ବୋତ୍ତମ, ସବୁ ବ୍ଲକକୁ ପଛରେ ପକାଇ ଶୀର୍ଷରେ ହିଞ୍ଜିଳି

1 min read

ନୂଆଦିଲ୍ଲୀ: ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥା ଦେଶରେ ସର୍ବୋତ୍ତମ । ତୃଣମୂଳ ସ୍ତରରେ ନିରନ୍ତର ବିକାଶ ଲାଗି ଓଡ଼ିଶାକୁ ମିଳିବ ସମ୍ମାନ । ଗଞ୍ଜାମ ଜିଲ୍ଲା ହୋଇଛି ଦେଶର ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ । ଏହାସହ ହିଞ୍ଜିଳି ଦେଶର ଶ୍ରେଷ୍ଠ ବ୍ଲକ ପଞ୍ଚାୟତର ମାନ୍ୟତା ପାଇଛି । ଦେଶର ସମସ୍ତ ବ୍ଲକକୁ ପଛରେ ପକାଇ ଶୀର୍ଷରେ ରହିଛି ହିଞ୍ଜିଳି । ଏନେଇ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ବିକାଶ ପୁରସ୍କାରର ୯ଟି ବିଭାଗରେ ବିଜେତା ଘୋଷଣା କରାଯାଇଛି । ହିଞ୍ଜିଳି ବ୍ଲକର କଞ୍ଚୁରୁ ପଞ୍ଚାୟତ ଦେଶର ଦ୍ବିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ହୋଇଥିବା ବେଳେ, ଶାସନ ଆମ୍ବଗାଁ ଦ୍ବିତୀୟ ଶ୍ରେଷ୍ଠ ସ୍ବଚ୍ଛ ଓ ସବୁଜ ପଞ୍ଚାୟତର ମାନ୍ୟତା ପାଇଛି ।

ସେହିପରି ସାମାଜିକ ସୁରକ୍ଷା ଦୃଷ୍ଟିରୁ ଭଞ୍ଜନଗର ବ୍ଲକର କୁଲାଡ଼ ଦେଶର ଦ୍ବିତୀୟ ଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କାର ପାଇବ । ପାତ୍ରପୁର ବ୍ଲକର ଆଙ୍କୁଲି ଗ୍ରାମପଞ୍ଚାୟତ ଦେଶର ଦ୍ଵିତୀୟ ଶ୍ରେଷ୍ଠ ଉର୍ଜା ସ୍ବରାଜ ବିକାଶ ପଞ୍ଚାୟତ ଭାବେ ବିବେଚିତ ହୋଇଛି । ତୃଣମୂଳ ସ୍ତରରେ ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ, ଜନହିତକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଓ ନିରନ୍ତର ବିକାଶ ଫଳରେ ଓଡ଼ିଶାକୁ ଏପରି ସଫଳତା ମିଳିଛି । ଆସନ୍ତା ୧୭ ତାରିଖରେ ସମ୍ମାନିତ କରିବେ ରାଷ୍ଟ୍ରପତି । ପଞ୍ଚାୟତିରାଜ ବ୍ୟବସ୍ଥାରେ ଓଡ଼ିଶାର ସଫଳତାକୁ ନେଇ ଅଭିନନ୍ଦନ ଜଣାଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ ।