ଗାଡ଼ି ଧୀରେ ଚଳାଇବାକୁ ଇସାରା ଦେଲେ ଯୁବକ , ଚାପୁଡ଼ା ପରେ ଚାପୁଡ଼ା ମାରିଲେ ତହସିଲଦାର

1 min read

ବ୍ରହ୍ମପୁର: ପୁଣି ଗଞ୍ଜାମ ତହସିଲଦାରଙ୍କ ଦବଙ୍ଗଗିରି । ଫିଲ୍ଡ ଭିଜିଟରେ ଯାଇ ଲୋକଙ୍କୁ ମାରିଛନ୍ତି ମାଡ଼ । ସାମାନ୍ୟ କଥାରୁ ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସ୍କୁଲ ଟାଇମରେ ଧୀରେ ଗାଡ଼ି ଚଳାଇବାକୁ ଇସାରା କରିବାରୁ ଜଣେ ଯୁବକଙ୍କୁ ମାଡ଼ ମାରିଛନ୍ତି ଗଞ୍ଜାମ ତହସିଲଦାର ବାବୁ ଅରୁଣ ନାୟକ । ଅରୁଣଙ୍କ ଏପରି ଦାଦାଗିରି ଆଦୌ ନୂଆ ନୁହେଁ । ଏହାପୂର୍ବରୁ ମଧ୍ୟ ବାବୁ ଅରୁଣ ବାରମ୍ବାର ଲୋକଙ୍କୁ ଦାଦାଗିରି କରି ସାବାଡ଼ କରିବାକୁ ଅପଚେଷ୍ଟା କରିଛନ୍ତି । ତାଙ୍କ ବିରୋଧରେ ଆକ୍ସନ ମଧ୍ୟ ନିଆଯାଇଥିଲେ ମଧ୍ୟ ବାବୁଙ୍କର କିନ୍ତୁ ତାଲିବାନୀ ମାନସିକତାରେ ପରିବର୍ତ୍ତନ ଆସୁନି ।

ନାଲିବତି ଗାଡ଼ି ଚଢୁଛନ୍ତି ବୋଲି ଲୋକଙ୍କୁ ନାଲିଆଖି । ମାଜିଷ୍ଟ୍ରେଟ ବୋଲି ମଳିମୁଣ୍ଡିଆଙ୍କ ଉପରେ ଦାଦାଗିରି । ପ୍ରଶାସନିକ ଅଫିସର ବୋଲି ମାନୁନାହାଁନ୍ତି ଇନ୍ଦ୍ରଚନ୍ଦ୍ର । ତହସିଲଦାରଙ୍କ ଶହେ ଶହେରେ ଦାଦାଗିରି । ପାୱାର ବଳରେ ଗଞ୍ଜାମ ଅଞ୍ଚଳବାସୀଙ୍କ ପାଇଁ ପାଲଟିଛନ୍ତି ଟେରର ପ୍ରଶାସକ ।  ବାବୁଙ୍କ ନାଁ ଅରୁଣ ନାୟକ । ଗଞ୍ଜାମ ତହସିଲଦାର । ହେଲେ କାମ କିନ୍ତୁ ତାଲିବାନୀ । ବ୍ରିଟିଶ ରୁଲରଙ୍କ ଭଳି ରୁଲବାଡ଼ି ଧରି ଲୋକଙ୍କ ଉପରେ ହାକିମାତି ଦେଖାଇବା ତାଙ୍କ ସଉକ । ଆଗରୁ ବି ରେକର୍ଡ ଅଛି । ଆଉ ନିଜ ରେକର୍ଡ କେମିତି ମଳିନ ନପଡ଼ିବ ସେଥିପାଇଁ ବି ଅହରହ ଚେଷ୍ଟା ଚଳାଇଛନ୍ତି । ନାଲିବତି ଧରି ଫିଲ୍ଡକୁ ବାହାରିଲେ ଆରମ୍ଭ ହୋଇଯାଏ ବ୍ରିଟିଶ ମାନସିକତା । ରାସ୍ତା ଉପରେ କରନ୍ତି ମନମାନି । ଆରମ୍ଭ ହୋଇଯାଏ ଗୁଣ୍ଡାରାଜ ।

ତହସିଲଦାର ବାବୁ ଅରୁଣ ନାୟକ ରମ୍ଭା ଥାନା ଅନ୍ତର୍ଗତ ଶିପକୁଦା ଗାଁକୁ ଯାଇଥିଲେ । ଖୁବ ସ୍ପିଡରେ ଗଡୁଥିଲା ଗାଡ଼ି । ସକାଳ ସମୟ ହୋଇଥିବାରୁ ପିଲାମାନେ ସ୍କୁଲରୁ ଫେରୁଥିଲେ । କେହିଜଣେ ବାବୁଙ୍କୁ ଗାଡ଼ି ଧୀରେ ଚଲାଇବାକୁ ହାତରେ ଇସାରା ଦେଲେ । ବାସ ସେଇଠୁ ବିଗିଡ଼ିଗଲେ ବାବୁଙ୍କ ମୁଡ୍‌ । ଗାଡ଼ି ବ୍ୟାକ କରି କାହିଁକି ଇସାରା କଲୁ ବୋଲି କହି ଯୁବକଙ୍କ ଗାଲକୁ ମାରିଲେ ଦୁଇ ଚଟକଣା । ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ତହସିଲଦାରଙ୍କ ସହିତ ପାଟିତୁଣ୍ଡ ଓ ହାତା ହାତି ପର୍ଯ୍ୟନ୍ତ କଥା ଯାଇଥିଲା । ହେଲେ ବି ତହସିଲଦାର ବୋଲି ରୁବାବ କିନ୍ତୁ କମିନଥିଲା ବାବୁଙ୍କର । ଶେଷରେ ରମ୍ଭା ଥାନା ପୋଲିସ ଆସିବା ପରେ ଶାନ୍ତ ହୋଇଥିଲା ଘଟଣା ।

ସେବା କରିବାକୁ ଶପଥ ନେଇଥିବା ଏହି ଅଧିକାରୀ ଜଣଙ୍କ ଏହି ଏରିଆରେ ସପ୍ତାହକୁ ଏପରି ତିନିରୁ ଚାରିଟି ଘଟଣା ଘଟାଇ ଆତଙ୍କ ଖେଳାଇ ଚାଲିଛନ୍ତି । ତାଙ୍କୁ ଦେଖିଲେ ଲୋକ ଥରହର । ତେବେ ଜାଣନ୍ତୁ ତହସିଲଦାର ବାବୁଙ୍କ ଦାଦାଗିରିର ରେକର୍ଡ

ଘଟଣା ନମ୍ବର-୧- ପୁରୁଷୋତ୍ତମପୁର ତହସିଲଦାର ଦାୟିତ୍ୱରେ ଥିବାବେଳେ ପରିବା ବ୍ୟବସାୟୀଙ୍କୁ ମାଡ଼ ମାରି ଲହୁଲୁହାଣ । ଆକ୍ସନରେ ଗଞ୍ଜାମ ତହସିଲକୁ କରାଯାଇଥିଲା ବଦଳି ।

ଘଟଣା ନମ୍ବର-୨- ରମ୍ଭା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ସର୍ବସମ୍ମୁଖରେ କରାଇଥିଲେ ଉଠବସ ।
ଘଟଣା ନମ୍ବର- ୩- ଚାରିମାସ ତଳେ ପାଲୁରଗଡର ହରିଜନ ସାହିର ଶଙ୍କର ଦାସଙ୍କ ମୁଣ୍ଡ ଫଟାଇ ଲହୁଲୁହାଣ ଅଭିଯୋଗ । ମାଡ ଯୋଗୁଁ ଆଜି ବି ଅର୍କମଣ୍ୟ ।
ଘଟଣା ନମ୍ବର-୪- ନିର୍ବାଚନ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥାଇ ପୋଲିସ ଉପସ୍ଥିତିରେ ହାତରେ ପ୍ଲାଷ୍ଟିକ ପାଇପ ଧରି ଗ୍ରାମବାସୀଙ୍କୁ ନିର୍ଘାତ ମାଡ଼ । ତହସିଲଦାରଙ୍କ ଏପରି ଗୁଣ୍ଡାଗିରି ଆଚରଣରେ ଅତିଷ୍ଠ ଅଞ୍ଚଳବାସୀ । ଅସହ୍ୟ ହେଲାଣି ଦବଙ୍ଗଗିରି । ଉଠିଲାଣି ପ୍ରତିବାଦର ସ୍ୱର । ତୁରନ୍ତ ବଦଳି ଦାବି ତେଜିଲାଣି ।

ବାବୁ ଅରୁଣ ନାୟକଙ୍କ କାରନାମାର ଏମିତି କେତେ କାହାଣୀ । ନିରୀହ ଲୋକଙ୍କୁ ଡରାଇ ଧମକାଇ ପେନାଲଟି ବି ନେଉଥିବା ଅଭିଯୋଗ ହୋଇଛି । ହେଲେ ବଡ଼ ବାବୁଙ୍କ ବିରୋଧରେ କେଉଁଠି ଗୁହାରୀ କରିବେ ଲୋକେ ? ଓଏଏସ ଅଧିକାରୀ ବୋଲି କଣ ସାତ ଖୁନ ମାଫ୍‌ ? ଜିଲ୍ଲାପାଳ କ’ଣ ତହସିଲଦାରଙ୍କ କାଣ୍ଡକାରଖାନା ବିଷୟରେ ଅବଗତ ନାହାଁନ୍ତି ? ପୋଲିସ ଉପସ୍ଥିତିରେ ରୁଲବାଡ଼ି ଧରି ଲୋକଙ୍କୁ ମାଡ ମାରିବା କେତେଦୂର ଯୁକ୍ତିଯୁକ୍ତ ? ତହସିଲଦାରଙ୍କ ସିରିଜ ଦାଦାଗିରିରେ କଣ ବ୍ରେକ ଲାଗିବନି ? ଏନେଇ ତହସିଲଦାରଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ କ୍ୟାମେରା ଆଗରେ କିଛି କହିବା ପାଇଁ ମନା କରିଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ରାଇଡର୍ ଗ୍ୟାଙ୍ଗ: ପ୍ରାତଃ ଭ୍ରମଣକାରୀଙ୍କୁ ଟାର୍ଗେଟ କରୁଥିଲେ,ଏବେ ପୋଲିସ ଟାର୍ଗେଟରେ