ରାଜନୀତି ଯୋଡ଼ିଲା ସମ୍ପର୍କ: ସରପଞ୍ଚ ହେବାକୁ ବାହା ହେଲେ

ବ୍ରହ୍ମପୁର: ସଜା ହୋଇଛି ଗାଡ଼ି । କନ୍ୟା ପ୍ରସ୍ତୁତ, ବର ବି ରେଡ଼ି । ଘରେ ବିବାହ ପାଇଁ ଉତ୍ସବର ମାହୋଲ । ଏବେ ଆପଣ ଭାବୁଥିବେ ଜଣକର ବାହାଘର ଖବର କାହିଁକି ଆମେ ଜଣାଉଛୁ । କିନ୍ତୁ କଥାଟା କିଛି ଅଲଗା । ଯାହାର ବାହାଘର ହେଉଛି ସେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଆଇତିପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ । ଘର ଖଲ୍ଲିକୋଟ ବ୍ଲକ ଶ୍ରୀକୃଷ୍ଣସରଣପୁର ନୂତନ ଗୁରୁଣ୍ଠିରେ । ପୂର୍ବରୁ ଆଇତିପୁର ପଞ୍ଚାୟତ ଯୋଗେନ୍ଦ୍ର ପଲେଇଙ୍କୁ କୋର୍ଟ ମ୍ୟାରେଜ କରିଥିଲେ । ଯୋଗେନ୍ଦ୍ରଙ୍କ ବାପା ୨୦୦୨ରେ ସରପଞ୍ଚ ଥିଲେ । ତେଣୁ ବାପାଙ୍କ ପରେ ଉଚ୍ଚଶିକ୍ଷିତ ପୁଅ ଯୋଗେନ୍ଦ୍ର ସରପଞ୍ଚ ହେବାକୁ ମନ ବଳାଇଲେ । ହେଲେ ଚଳିତ ନିର୍ବାଚନରେ ଆଇତିପୁର ପଞ୍ଚାୟତ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ପତ୍ନୀ ପ୍ରଭାତୀଙ୍କୁ ପ୍ରାର୍ଥୀ କରିଛନ୍ତି । ନାମାଙ୍କନ ପ୍ରକ୍ରିୟା ସରିଥିବାବେଳେ ଏବେ ଦୁହେଁ ବୈଦିକ ରୀତିରେ ବିବାହ କରିବାକୁ ଯାଉଛନ୍ତି ।

୭ଟି ଗ୍ରାମକୁ ନେଇ ଗଠିତ ହୋଇଛି ଆଇତିପୁର ପଞ୍ଚାୟତ । ଏଠାରେ ଭୋଟର ସଂଖ୍ୟା ୪ ହଜାର ୩୪୦ । ଚଳିତ ପଞ୍ଚାୟତ ନିର୍ବାଚନରେ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ପ୍ରଭାତୀଙ୍କୁ ମାଛ ଚିହ୍ନ ମିଳିଛି । ତେବେ ପ୍ରଭାତୀଙ୍କ ସହ ପ୍ରତିଦ୍ୱନ୍ଦୀ କରୁଥିବା ପ୍ରାର୍ଥୀ ଆଗରୁ ସେହି ଗାଁର ବୋହୂ ହୋଇଥିବା ବେଳେ ପ୍ରଭାତି ହାତରେ ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ନୁଆଁ ବୋହୂ ଭାବେ ଭୋଟ ଭିକ୍ଷା କରିବାକୁ ମଇଦାନକୁ ଉହ୍ଲାଇବେ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଆଗକୁ ଗାଁର ଦୁଇ ବୋହୂଙ୍କ ମଧ୍ୟରେ ହେବ କଡା ଟକ୍କର । ତେବେ ଶ୍ୱଶୂର ପୂର୍ବରୁ ସରପଞ୍ଚ ଥିବାରୁ ପ୍ରଭାତିଙ୍କ ପଲ୍ଲା ଭାରି ଥିବା କହନ୍ତି ସ୍ଥାନୀୟ ବାସିନ୍ଦା ।

ଏଥିସହିତ ପଢ଼ନ୍ତୁ: ସାବଧାନ: ଆପଣଙ୍କ ବରଯାତ୍ରୀରେ ଥାଇପାରନ୍ତି ଲୁଟେରା, ଲୁଟୁଛନ୍ତି ସୁନା ଓ ଟଙ୍କା

Leave a Reply