ଏଠି ନଦୀ ଅଛି ହେଲେ ବାଲି ନାହିଁ: ଆନ୍ଧ୍ର ଚାଲାଣ ହେଉଛି ଓଡ଼ିଶା ବାଲି, ଗଞ୍ଜାମରେ ଲୁଟେରା ରାଜର ଅନ୍ତ କେବେ ?

1 min read

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବନ୍ଦ ହେଉନି ବାଲି ଚୋରା ଚାଲାଣ । ପ୍ରଶାସନ ଡାଳେ ଡାଳେ ଗଲେ ବାଲି ମାଫିଆ ଯାଉଛନ୍ତି ପତରେ ପତରେ । ନଦୀ ଗର୍ଭରେ ପଡିଛି ହାଇଓ୍ବା । JCB ମାଧ୍ୟରେ ଲୋଡ଼ ହୋଇ ଆନ୍ଧ୍ର ପ୍ରଦେଶକୁ ଚାଲାଣ ହେଉଛି ଶହ ଶହ ଟ୍ରକ ବାଲି । ଦିନ ଦି ପହରେ ଏଭଳି ବାଲି ଲୁଟ୍ ହେଉଛି ଦିଗପହଣ୍ଡି ତହସିଲ ଅଂଚଳରେ । ଭିନ୍ନ ଭିନ୍ନ ନଦୀଗର୍ଭ ବା ସଇରତ ରହିଥିବା ବେଳେ ସବୁଠି ସରକାରଙ୍କୁ ଠକି ବିନା ଟେଣ୍ଡର ବିନା Y ଫର୍ମ ରେ ଚାଲାଣ ହେଉଛି କୋଟି କୋଟି ଟଙ୍କାର ବାଲି ।

ଗଞ୍ଜାମରେ ବାଲି ଚୋରା ଚାଲାଣର ଗୋଲକ ଧନ୍ଦା । ନଦୀ ଶଯ୍ୟା ଅଛି ହେଲେ ବାଲି ନାହିଁ । ଲମ୍ବିଛି କଳା ବେପାରୀଙ୍କ ତାଲିକା । ବିନା ଟେଣ୍ଡର, ବିନା Y ଫର୍ମରେ ବାଲି ବୋହି ନେଉଛନ୍ତି ଲୁଟେରା  । ଅକ୍ସନ ନହୋଇ ମଧ୍ୟ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ସର୍କଲର ଗୌଡ଼ଗାଁ, ବଜ୍ରଗୁମା, ଚଷା ନିମଖଣ୍ଡି, ଭୀଷ୍ମଗିରି, ମୌଳାଭଣଜାର ବିଭିନ୍ନ ଲିଜ ପଏଣ୍ଟରୁ ବାଲି ମାଫିଆ ବୋହି ନେଉଛନ୍ତି ବାଲି ।

ଜିଲ୍ଲାରେ ବାଲି ଚୋରା ଚାଲାଣର ସୀମା ଲଙ୍ଘିଛନ୍ତି ବାଲି ମାଫିଆ । ପୂର୍ବରୁ ଲିଜ ପଏଣ୍ଟର ଟେଣ୍ଡର ତହସିଲ ଅଧୀନରେ ହେଉଥିବା ବେଳେ ବର୍ତ୍ତମାନ ମାଇନିଂ ବିଭାଗ ହାତକୁ ଯାଇଛି । ହେଲେ ମାଇନିଂ ଅଧିକାରୀ, ତହସିଲଦାର କିମ୍ବା ପୋଲିସର କାର୍ଯ୍ୟାନୁଷ୍ଠାନ ଅବହେଳାରୁ ବାଲି ଆନ୍ଧ୍ର ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।

କିଛିଦିନ ତଳେ ସମାନ ମାମଲାରେ ଛତ୍ରପୁର ଅଞ୍ଚଳରୁ କୃପାସିନ୍ଧୁ ମୁଦୁଲି ଏବଂ ସହଯୋଗୀଙ୍କୁ ଗିରଫ କରାଯାଇଛି  । ହେଲେ ଏବେ ଅନ୍ୟ ବାଲି  ମାଫିଆ କିଭଳି ଖସି ଯାଉଛନ୍ତି ବୋଲି ପ୍ରଶ୍ନ ଉଠିଛି । ରାଜସ୍ବ ନିରୀକ୍ଷକ, ତହସିଲଦାର ଓ ମାଇନିଂ ଅଧିକକାରୀଙ୍କ  ଜାଣତରେ ଏହି କଳା ବେପାର ଚାଲିଛି ବୋଲି ସନ୍ଦେହ ସୃଷ୍ଟି ହୋଇଛି  । ନଦୀଗର୍ଭ ବା ସଇରତରେ ହାଇଓ୍ବା ଓ ଜେସିବି ମେସିନରେ ବାଲି ଲୋଡ଼ ପାଇଁ ଅନୁମତି ନାହିଁ  । ହେଲେ କିଭଳି ନଦୀ ଗର୍ଭରେ ପଶୁଛି ବଡ ବଡ ଗାଡି ତାକୁ ନେଇ ପ୍ରଶ୍ନ ଉଠିଛି । ଦିଗପହଣ୍ଡି ତହସିଲରେ ୬ଟି ସଇରତ ଉପରେ ପ୍ରଶାସନ ଓ NGT ନିକଟରେ ଅଭିଯୋଗ  ହୋଇଥିବା ସୂଚନା ରହିଛି ।

ଗଞ୍ଜାମ ଭାୟା ବ୍ରହ୍ମପୁର ଦେଇ ଆନ୍ଧ୍ର ଚାଲାଣ ହେଉଛି ହଜାର ହଜାର ଟ୍ରକ ବାଲି । ଶହ ଶହ ଜେସିବି ନଦୀଶଯ୍ୟାକୁ ବିଦାରି କରୁଛନ୍ତି ବାଲି ଚୋରି । ଲଗାମ ଲଗାଇବାକୁ କେହି ନଥିବାରୁ ରାଜସ୍ବହାନୀ ସହ ପରିବେଶ କ୍ଷତିଗ୍ରସ୍ତ ହେବାରେ ଲାଗିଛି ।