ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ, ‘ଯାତ୍ରା ଦେଖିବାକୁ ଗାଁକୁ ଆସ ନାହିଁ’

Bijay Amrut Kulange

ଗଞ୍ଜାମ: ଜିଲ୍ଲାପାଳଙ୍କ ଗରୁତ୍ୱପୂର୍ଣ୍ଣ ପରାମର୍ଶ । କହିଲେ ବାହାର ରାଜ୍ୟରେ ବିଶେଷ କରି ମହାରାଷ୍ଟ୍ର ଓ ଗୁଜରାଟରେ ରହୁଥିବା ଲୋକ ଏବେ ଗଞ୍ଜାମ ଆସନ୍ତୁ ନାହିଁ । କାରଣ ଗୁଜରାଟ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ‌ ଦେଖିବାକୁ ମିଳିଛି । ସେଠାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି । ତେଣୁ ସେଠାରେ ରହୁଥିବା ଗଞ୍ଜାମବାସୀ ଆସିଲେ ଏଠାରେ ମଧ୍ୟ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ତେଣୁ ସେମାନେ ଏଠାକୁ ଆସି ସଂକ୍ରମଣ ଆଶଙ୍କା ବଢ଼ାନ୍ତୁ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।

ତେବେ ଜିଳ୍ଲାପାଳଙ୍କ ଏଭଳି ବୟାନ ପଛର କାରଣ ହେଉଛି, ଏବେ ଗଞ୍ଜାମରେ ଦଣ୍ଡ ନାଚଠାରୁ ଆରମ୍ଭ କରି ଚୈତ୍ର ମେଳା, ବୁଢ଼ି ଠାକୁରାଣି ଯାତ୍ରା ଆଦି ହେବାକୁ ଯାଉଛି । ଏଥିପାଇଁ ପ୍ରଶାସନ ଅନୁମତି ମଧ୍ୟ ଦେଇଛନ୍ତି । ଏହି ସବୁ ଉତ୍ସବରେ ଯୋଗଦେବା ପାଇଁ ବାହାରୁ ଅନେକ ଲୋକ ଆସିଥାନ୍ତି । ବିଶେଷକରି ଗଞ୍ଜାମର ଅଧିକାଂଶ ଲୋକ ମହାରାଷ୍ଟ୍ର ଓ ଗୁଜରାଟରେ କାମ କରନ୍ତି । କେବଳ ଏହି ଉତ୍ସବରେ ସାମିଲ ହେବା ପାଇଁ ସେମାନେ ନିଜ ଘରକୁ ଫେରିଥାନ୍ତି । ଯେହେତୁ ସେଠାରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି ସେଥିପାଇଁ ସେମାନଙ୍କୁ ନଆସିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଜିଲ୍ଲାପାଳ ସିଧାସଳଖ କହିଛନ୍ତି ଯେ, ଏହି ଉତ୍ସବ ପାଇଁ ଅନୁମତି ଦିଆଯାଇଛି ସତ ହେଲେ କେବଳ ସ୍ଥାନୀୟ ଲୋକଙ୍କ ପାଇଁ । ବାହାରୁ ଆସି କେହି ଏହି ଉତ୍ସବରେ ସାମିଲ ହୋଇପାରିବେ ନାହିଁ । ବୁଢ଼ି ଠାକୁରାଣୀ ଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି । ବୃଢ଼ିଠାକୁରାଣୀଙ୍କ ଦର୍ଶନକୁ ଅନୁମତି ଦିଆଯାଇଛି କିନ୍ତୁ ମା’ଙ୍କର ଗାଁ ବୁଲିବାକୁ ଅନୁମତି ଦିଆଯାଇ ନାହିଁ । ଏହାସହ ହୋଲି ଓ ଦୋଳ ଯାତ୍ରା ମଧ୍ୟ କଟକଣାରେ ପାଳନ ହେବ । ଏକାଠି ହୋଇ ହୋଲି ଖେଳିବାକୁ ମନା କରାଯାଇଛି । ନିଜ ନିଜ ଘରେ ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସେ ଆହୁରି କହିଛନ୍ତି ଯେ, ଯଦି କେହି ରଜ୍ୟ ବାହାରୁ ଆସନ୍ତି ତେବେ ସେମାନଙ୍କର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଯଦି କୌଣସି ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ କିମ୍ବା ହସ୍ପିଟାଲରେ ଭର୍ତ୍ତି କରାଯିବ ।

ଶେଷରେ ଗଞ୍ଜାମବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ଯେ, ବାହାରକୁ ବାହାରିବା ମାତ୍ରେ ମାସ୍କ ବ୍ୟବହାର କରନ୍ତୁ, ସାମାଜିକ ଦୂରତା (ଅନ୍ୟୁନ ଦୁଇ ମିଟର) ଅବଲମ୍ବନ କରନ୍ତୁ । ଘରକୁ ଫେରିଲେ ହାତ ଧୁଅନ୍ତୁ । ଆପଣ ନିଜେ ସୁସ୍ଥ ରହିଲେ ଆପଣଙ୍କ ପରିବାର ସୁସ୍ଥ ରହିବ ।

Leave a Reply