ଚାଲିଛି ଦଣ୍ଡଯାତ୍ରା, ଉତ୍ସବ ମୁଖର ଗଞ୍ଜାମ ଜିଲ୍ଲା

ନନ୍ଦିଘୋଷ ବ୍ୟୁରୋ: କଳା ସାହିତ୍ୟ ସଂସ୍କୃତିର ଗନ୍ତାଘର ଭାବେ ବେଶ ପରିଚିତ ଗଂଜାମ ଜିଲ୍ଲା । ତେବେ ଏହି ଜିଲ୍ଲାର ଅନ୍ୟତମ ଲୋକକଳା ହେଉଛି ଦଣ୍ଡଯାତ୍ରା । ବିଶେଷ କରି ଏହ ଦଣ୍ଡଯାତ୍ରାକୁ ଚୈତ୍ର ମାସରେ ଦେଖିବାକୁ ମିଳିଥାଏ । କାହିଁ କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଥିବା ଦଣ୍ଡଯାତ୍ରା ଏବେ ଅ।ରମ୍ଭ ହୋଇଯାଇଛି । ଯାତ୍ରା ଦୀର୍ଘ ୨୧ ଦିନ ଧରି ଚାଲିବ ।
ଦୁଲୁକୁଛି ଗାଁ ଦାଣ୍ଡ । ଉତ୍ସବମୁଖର ପୁରା ପରିବେଶ । ଆରମ୍ଭ ହୋଇଯାଇଛି ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଦଣ୍ଡଯାତ୍ରା । କବିସୂର୍ଯ୍ୟନଗର, ଗୁଡିଆଳି ଭଳି ଅନେକ ଗାଁରେ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ ଗାଁ ପୋଖରୀରେ ପୂଜାର୍ଚ୍ଚନା ସହ ଗାଁ ବୁଲିବା ଆରମ୍ଭ କରିଦେଇଛନ୍ତି ମା କାଳିଶି । ଚୈତ୍ର ମାସ ଆସିଗଲେ ମାନସିକଧାରୀ ମାନେ ନିଜ ନିଜର ମାନସିକ ପୂରଣ ନିମନ୍ତେ ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଦେହରେ ଗେରୁଆ ବସ୍ତ୍ର ପରିଧାନ କରିବା ସାଙ୍ଗକୁ ହାତରେ ମାଆଙ୍କ ବାନା ଓ ମୟୂର ପିଂଛ ଧରି ମାନସିକଧାରୀ ମାନେ ଗାଁକୁ ଗାଁ ବୁଲି ଦଣ୍ଡ ଗ୍ରହଣ କରିବା ସହ ଦଣ୍ଡ ଖେଳିଥାନ୍ତି । ଏହି ଦଣ୍ଡଯାତ୍ରା ଚୈତ୍ର ମାସ ମେରୁ ସଂକ୍ରାନ୍ତିରୁ ଠିକ ୨୧ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ।
ଦଣ୍ଡନାଚରେ ପ୍ରଥମେ ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ରାତ୍ରିରେ ଅଗ୍ନି ଦଣ୍ଡ କରାଯାଇଥାଏ । ବାଦ୍ୟ ଓ ତୁରିର ତାଳେ ତାଳେ ଦଣ୍ଡୁଆ ମାନସିକଧାରି ମାନେ ଚାଲିଥାନ୍ତି ମାଇଲ ମାଇଲ ବାଟ । ମାନସିକଧାରୀ ମାନେ ଦିନକୁ ଓଳିଏ ଖାଇବା ସହ ବହୁ ନିଷ୍ଠାର ସହ ନିଜ ବ୍ରତକୁ ପାଳନ କରିଥାନ୍ତି । ଦଣ୍ଡଯାତ୍ରାରେ ସାମିଲ ହେଲେ ଅନେକ ଅସାଧ୍ଯ କାର୍ଯ୍ଯ ସାଧ୍ଯ ହୋଇଥାଏ ବୋଲି ଲୋକଙ୍କ ବିଶ୍ଵାସ ରହିଛି । ଏହିଭଳି ପରମ୍ପରା ଗଂଜାମ ଜିଲ୍ଲାରେ ବହୁ ବର୍ଷ ଧରି ଲାଗିରହିଥିବା ବେଳେ ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ଆରମ୍ଭ ହୋଇ ପଣା ସଂକ୍ରାନ୍ତିରେ ଏହି ଯାତ୍ରା ସରିଥାଏ ।