ଗଞ୍ଜାମରେ ଆହୁରି ସୁଦୃଢ ହେବ ବିଜେଡି

1 min read

ବ୍ରହ୍ମପୁର: ଗଞ୍ଜାମରେ ଆହୁରି ସୁଦୃଢ ହେବ ବିଜେଡି। ୨୦୨୪ରେ ସବୁ ଆସନରେ ବିଜୟ ସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର କରାଯିବ ମୁଖ୍ୟମନ୍ତ୍ରୀ । ଏଭଳି ସଂକଳ୍ପ ନେଇ ଗୋପାଳପୁରରେ ଅନୁଷ୍ଠିତ ହୋଇଛି ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ । ପଞ୍ଚାୟତ ପ୍ରତିନିଧିଙ୍କଠାରୁ ବିଧାୟକ ଓ ସାଂସଦମାନେ ଉପସ୍ଥିତ ରହି ଦଳକୁ ଆହୁରି ମଜଭୁତ କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଏହି ଅବସରରେ ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

ଗଞ୍ଜାମ । ବିଜୁ ଜନତା ଦଳର ଅଭେଦ୍ୟ ଦୁର୍ଗ । ବିକାଶ ପାଇଁ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଭରସା ରଖିଛନ୍ତି ଗଞ୍ଜାମବାସୀ । ଗାଁ ଗାଁରେ ବିଜେଡି ସଂଗଠନକୁ ଆହୁରି ମଜଭୁତ କରିବାକୁ ଗୋପାଳପୁରରେ ଅନୁଷ୍ଠିତ ହୋଇଛି ଦଳର ଜିଲ୍ଲା କାର୍ଯ୍ୟକାରିଣୀ । ପଞ୍ଚାୟତ ପ୍ରତିନିଧିଙ୍କଠାରୁ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ପ୍ରସ୍ତୁତ ହୋଇଛି ରଣନୀତି । ଆଗାମୀ ନିର୍ବାଚନରେ ଗଞ୍ଜାମର ସବୁ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀରେ ବିପୁଳ ବିଜୟ ପାଇଁ କରାଯାଇଛି ବ୍ଲୁପ୍ରିଣ୍ଟ । ରାଜ୍ୟ ସରକାରଙ୍କ ସୁଶାସନ ଓ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗୁରୁତ୍ବ ଦିଆଯାଇଛି । ଘରେ ଘରେ ଶଙ୍ଖ ତଥା ଘରକୁ ଘର ହାଉସ ଟାଗିଂ କାର୍ଯ୍ୟରେ ସାମିଲ ହୋଇ ବୁଥ୍ ସ୍ତରରେ ସଂଗଠନକୁ ସୁଦୃଢ଼ କରାଯିବ । ଲୋକଙ୍କ ବିଶ୍ବାସକୁ ଅତୁଟ ରଖି ୨୦୨୪ରେ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ସମସ୍ତେ ସଂକଳ୍ପ ନେଇଛନ୍ତି ।

ରାଜ୍ୟରେ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀର ରୂପାନ୍ତରଣ ହେଉଛି । ଶ୍ରୀକ୍ଷେତ୍ର, ଏକାମ୍ର ଓ ତାରାତାରିଣୀ ମନ୍ଦିରର ନବକଳେବର ଦେଉଛି ଦିବ୍ୟ ଅନୁଭୂତି । ଗାଁ ଗାଁରେ ମନ୍ଦିର, ମସଜିଦ ଓ ଗୀର୍ଜାର ଉନ୍ନତି କରାଯାଉଛି  । ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କୁ ବିଜେଡି କାର୍ଯ୍ୟକାରିଣୀରେ କୃତଜ୍ଞତା ଜ୍ଞାପନ କରାଯାଇଛି । ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ଯୋଗଦାନ କରିଥିବାରୁ ଗଞ୍ଜାମ ବିଜେଡି ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି ।

କାର୍ଯ୍ୟକାରିଣୀରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଆସିକା ସାଂସଦ ପ୍ରମିଳା ବିଶୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା, ଖଲ୍ଲିକୋଟ ବିଧାୟିକା ସୂଯ୍ୟମଣି ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।