ନିଶା ମାଫିଆଙ୍କ ବିଲ ଉପରେ ଉଡୁଛି ଡ୍ରୋନ, ନଷ୍ଟ କରାଯାଉଛି ଏକର ଏକର ବେଆଇନ ଚାଷ

ଭୁବନେଶ୍ବର : ଗଞ୍ଜେଇ ଚାଷ ଓ ଚାଷୀଙ୍କ ବିରୋଧରେ ଜିରୋ ଟଲରାନ୍ସ । ଡ୍ରୋନ୍ ସାହାଯ୍ୟରେ ବିଲରୁ କଟାଯାଉଛି ଗଞ୍ଜେଇ ଗଛ । ବାଜ୍ଯାପ୍ତ ହେବ ନିଶା ଚାଲାଣରେ ବ୍ୟବହୃତ ଗାଡ଼ି । ଆନ୍ତଃରାଜ୍ୟ ଚାଲାଣ ରୋକିବାକୁ ଟାସ୍କ ଦେଲେ କମିଶନର । ଡ୍ରୋନ ଦ୍ୱାରା କରାଯିବ ଗଞ୍ଜେଇ ଚାଷ ନଷ୍ଟ । ଦେଖନ୍ତୁ ଏହି ଭିଜୁଆଲ । ରାଜ୍ୟରୁ ଗଞ୍ଜେଇ ଚାଷକୁ ମୂଳପୋଛ କରିବା ଲକ୍ଷ୍ଯରେ ଓଡିଶା ପୋଲିସ ଓ ଅବକାରୀ ବିଭାଗ । ୨୦୨୬ ସୁଦ୍ଧା ରାଜ୍ୟରେ ବେଆଇନ ନିଶା କାରବାର ବନ୍ଦ କରିବାକୁ ଟାର୍ଗେଟ ରଖିଥିବା ବେଳେ ଏବେ ପ୍ରତ୍ୟେକ ଦିନ ଏକର ଏକର ଗଞ୍ଜେଇ ଚାଷ କରାଯାଉଛି ନଷ୍ଟ । ରାଜ୍ୟ ପୋଲିସ୍,  ଅବକାରୀ ବିଭାଗ, ରାଜସ୍ଵ ବିଭାଗ ପକ୍ଷରୁ ମିଳିତ ଭାବେ ଏବେ ଗଞ୍ଜେଇ ନଷ୍ଟ କରିବା ପାଇଁ ଗଠନ କରାଯାଇଛି ଯୁଗ୍ମ ଟାସ୍କଫୋର୍ସ । ରାଜ୍ୟର ୯ ଟି ଜିଲାରେ ଏବେ ବହୁଳ ମାତ୍ରାରେ ଗଞ୍ଜେଇ ଚାଷ କରାଯାଉଥିବା ରିପୋର୍ଟ କହୁଛି । ମାଲକାନଗିରି,  କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ନବରଙ୍ଗପୁର ଓ ମୟୂରଭଞ୍ଜ ଜିଲାରେ ବହୁଳ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ରାଜ୍ଯ ପୋଲିସ ଜାଣିବାକୁ ପାଇଛି । ଯେଉଁଥିପାଇଁ ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଅଭିଯାନ । ଡ୍ରୋନ ସହ ସାଟେଲାଇଟ ଚିତ୍ର ସାହାଯ୍ୟରେ ଗଞ୍ଜେଇ ଚାଷର ବିନାଶ ଆରମ୍ଭ କରିଛି ଓଡିଶା ପୋଲିସ ଓ ଅବକାରୀ ବିଭାଗ।

ଗତବର୍ଷ ତୁଳନାରେ ଏବର୍ଷ ୩ ଗୁଣା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ନୀଳଜହର ଚୋରା ଚାଲାଣରେ ବ୍ୟବହୃତ ଗାଡି ବାଜ୍ଯାପ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବରୁ ନିଶାମାଫିଆଙ୍କ ସମ୍ପତ୍ତି ମଧ୍ୟ ବାଜ୍ଯାପ୍ତି କରିଥିଲା ବିଭାଗ । ନିଶା ବେପାରୀମାନେ ଜଙ୍ଗଲ ଭିତରେ ବିଭିନ୍ନ ପରିତ୍ୟକ୍ତ ସ୍ଥାନରେ ଗାତ ଖୋଳି ଗଞ୍ଜେଇ ରଖିଥିବା ନେଇ ଜାଣିବା ପରେ ପୋଲିସ ସାହାଯ୍ୟରେ ସ୍ପେଶାଲ ଅପରେସନ ଜାରି ରଖାଯାଇଛି । ତେବେ ଏହାକୁ ମୂଳୋତ୍ପାଟନ କରିବା ପାଇଁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଜାରି ରହିବ ବୋଲି ପୂର୍ବରୁ ଡିଜିପି କହିଥିବା ବେଳେ ଏବେ ଏହାକୁ ବ୍ୟାପକ କରିବାକୁ ସୂଚନା ଦେଇଛନ୍ତି ଅବକାରୀ କମିଶନର ।  ମାଓବାଦୀ ଓ ନକ୍ସଲ ମୁଖ୍ୟତଃ ଗଞ୍ଜେଇ କାରବାର ଉପରେ ନିର୍ଭରଶୀଳ । ତେଣୁ ନୀଳଜହରର ବିନାଶ ହେଲେ ଏହି ଆତଙ୍କୀ କାର୍ଯ୍ୟକଳାପ ମଧ୍ୟ କମିପାରିବ ବୋଲି ବରିଷ୍ଠ ଅଫିସର ମାନଙ୍କୁ ସୂଚନା ଦେଇଛନ୍ତି କମିଶନର ।