୩୨ ବର୍ଷ ହେବ ବିନା ଦରମାରେ କାମ କରୁଛନ୍ତି ଏହି ବ୍ୟକ୍ତି, କରୋନା ସାଜି ପାରିନି ପ୍ରତିବନ୍ଧକ

ନୂଆଦିଲ୍ଲୀ: ବିନା ଦରମାରେ କେହି କେବେ କାମ କରିବାର ଦେଖିଛନ୍ତି ବା ଶୁଣିଛନ୍ତି? ତାହା ପୁଣି ପ୍ରତିଦିନ । ମାସେ ନୁହେଁ କି ଦୁଇ ମାସ ନୁହେଁ ବରଂ ୩୨ ବର୍ଷ । କିନ୍ତୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଉପରୁ ଆପଣ ଧ୍ୟାନ ହଟାଇ ପାରିବେ ନାହିଁ ।

ଦିଲ୍ଲୀର ସୀଲମପୁରର ଗଙ୍ଗାରାମ । ଦୀର୍ଘ ୩୨ ବର୍ଷ ଧରି ଟ୍ରାଫିକ ପୋଷ୍ଟରେ କାମ କରି ଆସୁଛନ୍ତି ଗଙ୍ଗା । ତାହା ମଧ୍ୟ ବିନା ଦରମାରେ । ଗଣମାଧ୍ୟମର ଖବର ଅନୁସାରେ ପ୍ରତିଦିନ ଟ୍ରାଫିକ ପୋଲିସର ଡ୍ରେସ ପିନ୍ଧି ଟ୍ରାଫିକ ମ୍ୟାନେଜ କରିବା ପାଇଁ ବାହାରି ଯାଆନ୍ତି ଗଙ୍ଗା, ଆଉ ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭଳି ଟ୍ରାଫିକ ପୋଷ୍ଟରେ କାର୍ଯ୍ୟ କରନ୍ତି । ତାଙ୍କୁ ଯିଏ ମଧ୍ୟ ଦେଖିବ ଟ୍ରାଫିକ ପୋଲିସ ଭାବିନେବ, କିନ୍ତୁ ବାସ୍ତବରେ ସେଭଳି କିଛି ନୁହେଁ ।

ସୂଚନା ଅନୁଯାୟୀ ଗଙ୍ଗାଙ୍କ ବୟସ ୭୨ ବର୍ଷ । ପ୍ରତିଦିନ ସକାଳ ୯ଟାରୁ ବାହାରି ରାତି ୧୦ଟା ପର୍ଯ୍ୟନ୍ତ ଖୁବ ନିଷ୍ଠାର ସହିତ ଟ୍ରାଫିକ କ୍ଲିୟର କରିବାରେ ଲାଗି ପଡ଼ନ୍ତି । ପ୍ରଥମେ ସେ ସିଲମପୁରରେ ଟିଭି ମରାମତି କରୁଥିଲେ, କିନ୍ତୁ ଏହି କାମ ଛାଡ଼ି ବିନା ଦରମାରେ କାହିଁକି କାମ କରୁଛନ୍ତି ଗଙ୍ଗାରାମ? ଘଟଣାଟି ଜାଣିବା ପରେଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ ।

ଏକଦା ସଡ଼କ ଦୁର୍ଘଟଣାରେ ନିଜର ଗୋଟିଏ ବୋଲି ପୁଅକୁ ହରାଇଥିଲେ ଏହି ବୟସ୍କ । ଏତିକିରେ ଦୁଃଖ ତାଙ୍କ ପିଛା ଛାଡ଼ି ନଥିଲା । ପୁଅ ମୃତ୍ୟୁର ଅଳ୍ପ ଦିନ ପରେ ତାଙ୍କ ପତ୍ନି ମଧ୍ୟ ସବୁଦିନ ପାଇଁ ଆଖି ବୁଜିଦେଲେ । ଯାହାପରେ ଏକୁଟିଆ ହୋଇଗଲେ ଗଙ୍ଗାରାମ । ତାହା ପରଠାରୁ ସେ ଟ୍ରାଫିକ ସିଗନାଲରେ କାମ କରିବାକୁ ଲାଗିଲେ । କାରଣ ଆଉ କେହି ସଡ଼କ ଦୁର୍ଘଟଣାରେ ତା ପୁଅକୁ ନ ହରାଉ । ତାଙ୍କର ଏହି ଭଲ କାମ ଯୋଗୁଁ ସରକାର ମଧ୍ୟ କେତେ ଥର ସମ୍ମାନିତ କରି ସାରିଛନ୍ତି । ଏଭଳିକି ତାଙ୍କ ନିକଟରେ ମୋବାଇଲ ଫୋନ ନଥିଲା । ପୋଲିସ ତରଫରୁ ତାଙ୍କୁ ମୋବାଇଲ ଫୋନ ମଧ୍ୟ ଦିଆଯାଇଛି । ଗଙ୍ଗାରାମଙ୍କ ଏହି କାହାଣୀ ଲୋକଲୋଚନକୁ ଆସିବା ପରେ ସମସ୍ତେ ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି ।

Leave a Reply