spot_img

Latest Posts

ଗଙ୍ଗାରେ ଶବ ଭାସୁଥିବା ଭିଡିଓ ସେୟାର କରିଥିବା ପୂର୍ବତନ IASଙ୍କ ବିରୁଦ୍ଧରେ ମାମଲା

ନୂଆଦିଲ୍ଲୀ: ଗଙ୍ଗାର କୂଳେକୂଳେ କୁଢକୁଢ ଶବ। କନୌଜରୁ କାନପୁର ପର୍ଯ୍ୟନ୍ତ ଶହ ଶହ ଶବ। କେଉଁଠି ମଣିଷ ଶବକୁ କୁକୁର, ବିଲୁଆ ଝୁଣି ଖାଉଛନ୍ତି ତ ପୁଣି କେଉଁଠି ମୃତଦେହର ଅଂଶ ବିଛାଡ଼ି ହୋଇପଡ଼ିଛି। ଜଳ ଜଳ ହୋଇ ବାରି ହୋଇପଡୁଛି କରୋନା ନିୟନ୍ତ୍ରଣରେ ବିଫଳତା। ଭାରତରେ ଏଭଳି ଦୃଶ୍ୟ ଅନ୍ତର୍ଜାତୀୟ ସ୍ତରରେ ଦେଶର ଭାବମୂର୍ତ୍ତିକୁ ମଳିନ କରିଛି। ଧୈର୍ଯ୍ୟ ହରା ହୋଇନଥିବା ଗଙ୍ଗାନଦୀ ଧୈର୍ଯ୍ୟର ବନ୍ଧକୁ ଭାଙ୍ଗି ଦେଇଛି କରୋନା। ଏଭଳି ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ତେବେ ଯିଏ ଏହି ସତକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରୁଛି ତାର କଣ୍ଠରୋଧ କରିଦେବାକୁ ଚେଷ୍ଟା କରାଯାଉଛି।

ଗଙ୍ଗାର ସତକୁ ସମସ୍ତଙ୍କ ସାମ୍ନାକୁ ଆଣିଥିବା ପୂର୍ବତନ IAS ଅଧିକାରୀ ଏସ୍‌ପି ସିଂଙ୍କ ଉପରେ ୟୁପି ପୋଲିସ୍‌ ମାମଲା ରୁଜୁ କରିଛନ୍ତି। ଏସ୍‌ପି ସିଂ ଗଙ୍ଗାରେ ଭାସୁଥିବା ଶବର ଏକ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଅବସରପ୍ରାପ୍ତ IAS ଏସ୍‌ପି ସିଂ ଏକ ଟୁଇଟ ମାଧ୍ୟମରେ ଦେଶର ଜନତାଙ୍କୁ ଉସକାଉଥିବା ଅଭିଯୋଗ ହୋଇଛି। ଏସ୍‌ପି ସିଂ ଏକ ଭିଡିଓ ସେୟାର କରି ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ ଏଭଳି ଅଭାବନୀୟ ଦୃଶ୍ୟ ହିନ୍ଦୁଙ୍କ ପାଇଁ କଳଙ୍କ। ଏହା ପରେ ଏସ୍‌ପି ସିଂ ଶନିବାର ଦିନ ଆଉ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ଉତ୍ତରପ୍ରଦେଶରେ ଏବେର କରୋନା ସ୍ଥିତିକୁ ନେଇ ସେ ଚିନ୍ତାବ୍ୟକ୍ତ କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେଉଁମାନେ ଏବେ ସତ କହିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ୟୁପି ପୋଲିସ ମାମଲା ରୁଜୁ କରୁଛି। ମୋ ବିରୁଦ୍ଧରେ ମଧ୍ୟ ୟୁପି ପୋଲିସ୍‌ ଏବେ ୨ ଟି ମାମଲା ରୁଜୁ କରିଛି ବୋଲି କହିଛନ୍ତି ଏସ୍‌ପି ସିଂ।

ସେ ଦୁଇଟି ଭିଡିଓ ସେୟାର କରିଥିଲେ ଯେଉଁ ୨ଟି ଭିଡିଓ ପାଇଁ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ପ୍ରଥମ ଭିଡିଓରେ ସେ ବନାରସରେ କରୋନା ସଂକ୍ରମିତଙ୍କ ଶବକୁ ନାଳରେ ଫିଙ୍ଗୁଥିବା ଭିଡିଓ ସେୟାର କରିଥିଲେ ଏବଂ ଏହା ପରେ ଦ୍ୱିତୀୟରେ ଗଙ୍ଗାରେ ଶବ ଭାସୁଥିବା ଭିଡିଓ ସେୟାର କରିଥିଲେ। ଏସ୍‌ପି ସିଂ କହିଛନ୍ତି ଦେଶରେ ଏତେ ସଂଖ୍ୟାରେ ଲୋକ ମରୁଛନ୍ତି ଯେ ଗୋଟିଏ ଗରିବ ଅନ୍ତିମ ସତ୍କାର ପାଇଁ ଶ୍ମଶାନ ପାଉନାହିଁ। ସରକାର କରୋନାରେ ମୃତ୍ୟୁର ହାରକୁ ଲୁଚାଇ ପାରନ୍ତି କିନ୍ତୁ ଶବକୁ କେମିତି ଲୁଚାଇବ ବୋଲି ପ୍ରଶ୍ନ କରିଛନ୍ତି ଏସ୍‌ପି ସିଂ ।

ପୂର୍ବତନ IAS ଅଧିକାରୀ କହିଛନ୍ତି ସରକାର ଏବେ ଭୁଲ ରାସ୍ତାକୁ ଆପଣେଇଛନ୍ତି। ଇଏ ହେଉଛି ଲୋକତନ୍ତ୍ରର ଦେଶ। ଏଠାରେ ବିରୋଧିଙ୍କର କଥାକୁ ଶୁଣିବା ଦରକାର। ବିରୋଧରେ କହୁଥିବା ଲୋକର ବିରୋଧର ମାମଲା ରୁଜୁ କଲେ କହିଛି ଲାଭ ନାହିଁ । କାରଣ ମାମଲା ରୁଜୁ କଲେ ମରିଯାଉଥିବା ଲୋକଟିଏ ଆସୁ ଫେରି ଆସିବ ନାହିଁ। ସେଥିପାଇଁ ଲୋକଙ୍କୁ ବଞ୍ଚାଇବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ପୂର୍ବତନ IAS ଅଧିକାରୀ ଏସ୍‌ପି ସିଂ ।

Latest Posts

Don't Miss