ଶୀଘ୍ର ଲୋକାର୍ପଣ ହେବ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ, ବରଗଡ଼ ଜିଲ୍ଲାରେ ଆସିବ ଆଉ ଏକ ସବୁଜ କ୍ରାନ୍ତି

ଭୁବନେଶ୍ବର: ଆଉ ବର୍ଷା ଉପରେ ନିର୍ବର କରି ଚାଷ କରିବାକୁ ପଡ଼ିବନି । କ୍ଷେତକୁ ମାଡ଼ିବ ପାଣି, ଚାଷୀ ମୁହଁରେ ଖେଳିବ ହସ । ଶୀଘ୍ର ଲୋକାର୍ପଣ ହେବ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ବରଗଡ଼ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାର ଜମି ହେବ ଜଳସେଚିତ ।

ପ୍ରକଳ୍ପ ଦ୍ବାରା ବିଶେଷ କରି ଅଣ ଜଳସେଚିତ ସୋହେଲା ଓ ବିଜେପୁର ବ୍ଲକ ବେଶ ଲାଭବାନ ହେବ । ଚାଷୀମାନେ ଖରିଫ ସହ ରବି ଚାଷ ପାଇଁ ଜଳସେଚନର ସୁବିଧା ପାଇପାରିବେ । ବିଶେଷ କରି ଡାଲି ଜାତୀୟ ତଥା ତୈଳବୀଜ ସହ ଅନ୍ୟାନ୍ୟ ଫସଲ କରି ଚାଷୀ ସ୍ବାବଲମ୍ବୀ ହୋଇପାରିବେ ।

ଗଙ୍ଗାଧର ମେହେର ଉଠା ଜନସେଚନ ପାଇଁ ମୋଟ ୧୬୭୧ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିଲେ ରାଜ୍ୟ ସରକାର । ଏଥି ମଧ୍ୟରୁ ୩୮୧ କୋଟି ଟଙ୍କା ହୀରାକୁଦର ଜିରୋ ଆରଡିରୁ ତୁରୁଙ୍ଗା ପର୍ଯ୍ୟନ୍ତ କାର୍ଯ୍ୟ କରାଯାଇଥିବା ବେଳେ, ତୁରୁଙ୍ଗାରୁ ସମଗ୍ର ପ୍ରକଳ୍ପ ପାଇଁ ୧୨୯୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ପ୍ରକଳ୍ପ ଦ୍ବାରା ୨୦ କ୍ୟୁମେକ୍ସ ଜଳଯୋଗାଣ ହୋଇପାରିବ । ପାଇପ ଲାଇନ ଜଳସେଚନରେ ଏହା ଦେଶର ସର୍ବବୃହତ ପ୍ରକଳ୍ପ ଭାବେ ଉଭା ହେବାକୁ ଯାଉଛି । ଏହି ପ୍ରକଳ୍ପ ଦ୍ବାରା ୪ଟି ବ୍ଲକର ୧୨୯ ଗାଁର ପ୍ରାୟ ୨୫ ହଜାର ୬୦୦ ହେକ୍ଟର ଜମି ଜଳସେଚିତ ହେବ । ଗଙ୍ଗାଧର ମେହେର ଉଠା ଜନସେଚନ ପ୍ରକଳ୍ପ ବରଗଡ଼ ଜିଲ୍ଲା ପାଇଁ ଆଉ ଏକ ସବୁଜ କ୍ରାନ୍ତି ଆଣିବାକୁ ଯାଉଛି ।