ଲକଡାଉନ ପ୍ରଭାବ: କାଚକେନ୍ଦୁ ଭଳି ଦିଶୁଛି ଗଙ୍ଗା ନଦୀର ପାଣି

ଉତ୍ତରପ୍ରଦେଶ: କରୋନା ପାଇଁ ଅନେକ କିଛି ବିଗିଡ଼ି ଯାଇଛି ସତ, ହେଲେ କିଛି ମଧ୍ୟ ସଜାଡ଼ି ହୋଇଯାଇଛି । ବର୍ଷବର୍ଷ ଧରି ପ୍ରଦୂଷିତ ରହୁଥିବା ପବିତ୍ର ଗଙ୍ଗାରେ ଏବେ କାଚକେନ୍ଦୁ ଭଳି ପାଣି ଦିଶୁଛି । ଲକଡ଼ାଉନ ପାଇଁ ଜନସମାଜ ଘରେ । ଗଙ୍ଗା ଘାଟରେ ଆଉ ଭିଡ଼ ନାହିଁ । କାରଖାନା,ହୋଟେଲ ଓ ଘର ସହିତ ଅନେକ ବ୍ୟବବସାୟିକ ପ୍ରତିଷ୍ଠାନର ଦୂଷିତ ପାଣି ଗଙ୍ଗାକୁ କରିଥିଲା ପ୍ରଦୂଷିତ । ଚିନ୍ତା ଏତେ ମାତ୍ରାରେ ବଢିଥିଲା ଯେ କେନ୍ଦ୍ରସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ଗଙ୍ଗା ସଫେଇ ଅଭିଯାନ ।

ଏବେ କିନ୍ତୁ କମୁଛି ପ୍ରଦୂଷଣର ମାତ୍ରା । ସଫା ଦିଶୁଛି ପାଣି । ନଦୀରେ ଜାହାଜ, ମାଛଧରା ବୋଟ ଯାଆସ ବନ୍ଦଥିବା ହେତୁ ଡ଼ଲଫିନ କୂଳରେ ଖେଳୁଥିବା ଦେଖିବାକୁ ମିଳୁଛି ।  ସେଥିପାଇଁ ଡଲଫିନ ପ୍ରଜନନ ପ୍ରକ୍ରିୟାରେ ଆସିଛି ବ୍ୟାପକ ପରିବର୍ତ୍ତନ । ଅଧିକ ସଂଖ୍ୟାରେ ବଢିଚାଲିଛି ଡଲଫିନଙ୍କ ସଂଖ୍ୟା ।

ବିଶେଷ କରି ୟୁପି ବର୍ଡର ଚୌସାରୁ କଟିହାର ପର୍ଯ୍ୟନ୍ତ ପରିବ୍ୟାପ୍ତ ଗଙ୍ଗାରେ ବଢିଛି ଡଲଫିନଙ୍କ ସଂଖ୍ୟା । ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ବୈଜ୍ଞାନିକ ଡାକ୍ତର ଗୋପାଲ ଶର୍ମା କୁହନ୍ତି ଯେ ଯଦି ଏଭଳି ଭାବରେ ଲକଡାଉନ ଜାରି ରହେ ଓ ଗଙ୍ଗାକୁ ଯିବାଆସିବା ୩ମାସ ପର୍ଯ୍ୟନ୍ତ ଲାଗିରହେ ତେବେ ଡଲଫିନଙ୍କ ସଂଖ୍ୟା ୨୦ପ୍ରତିଶତ ବଢିଯିବ । ଡଲଫିନ ମଧୁର ପାଣିରେ ରହିବାକୁ ପସନ୍ଦ କରନ୍ତି, ଏବଂ ପ୍ରଦୂଷିତ ଜଳ ହିଁ ଡଲଫିନ ମୃତ୍ୟୁ ସହ ପ୍ରଜନନ ବାଧକର ମୁଖ୍ୟ କାରଣ । ନଦୀରେ ଛୋଟ ମାଛ ମୃଧ୍ୟ ବଢିଥିବାରୁ ଡଲଫିନଙ୍କ ଖାଦ୍ୟରେ ସମସ୍ୟା ହେଉନାହିଁ ।

୨ବର୍ଷ ପୂର୍ବେ ସରକାରଙ୍କ ତିନି ସଂଗଠନ ତରଫରୁ ହୋଇଥିଲା ଡଲଫିନ ଗଣନା । ୧୮ ନଭେମ୍ବରରୁ ୧୦ ଡିସେମ୍ବର ସୁଦ୍ଧା ହୋଇଥିବା ସର୍ଭେର ରିପୋର୍ଟ ଆଧାରରେ ମୋକାମାରୁ ମନୀହାରୀ ପର୍ଯ୍ୟନ୍ତ ୩୦୦ କିଲୋମିଟର ଇଲାକାରେ ୮୨୫ ଡଲଫିନ ମିଳିଥିଲେ । ପାଟନା ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ, ଭାଗଲପୁର ତିଲକା ମାଝୀ ବିଶ୍ୱବିଦ୍ୟାଳୟ ଏବଂ ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟ ମିଳିତ ହିସାବରେ ଏ ସେର୍ଭେ କରିଥିଲେ । ତେବେ ମହାମାରୀ କରୋନା ଜନସମାଜକୁ ମନେପକାଇଦେଇଛି ଆମର ପ୍ରକୃତି, ପଶୁପକ୍ଷୀ ଓ ଜୀବଜଗତ ପାଇଁ ଅନେକ କର୍ତ୍ତବ୍ୟ ଅଛି । ନିଜ ସ୍ୱାର୍ଥ ପାଇଁ ଆମେ ପ୍ରକୃତିକୁ ଏତେ ମାତ୍ରାରେ ପ୍ରଦୂଷିତ କରିବାର ଆମର କୌଣସି ଅଧିକାର ନାହିଁ ।

ଆଉ ଏକ ରିପୋର୍ଟ ଅନୁଯାୟୀ ଟଙ୍କାଟିଏ ବି ଖର୍ଚ୍ଚ ନକରି ୬୦ ପ୍ରତିଶତ ସ୍ୱଚ୍ଛ ହେଇଯାଇଛି ଯମୁନା ନଦୀର ପାଣି ।

                                                                                                                                                                       ( ସ୍ମୃତିଲଗ୍ନା ନନ୍ଦ)

Leave a Reply