ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ବି ହାଜର ହେଲେନି ଓଟିଭି, ପଠାଇଦେଲେ ପ୍ରତିନିଧି
1 min readଭୁବନେଶ୍ୱର: ସମୟ ଟାଳିବା ଡ୍ରାମାର ପୁନରାବୃତ୍ତି । ମହିଳା କମିଶନଙ୍କ ସମନକୁ ଅସମ୍ମାନ କରିଛନ୍ତି ଓଟିଭି କର୍ତ୍ତୃପକ୍ଷ । ସମନ ପାଇଁ ବ୍ୟକ୍ତିଗତ ହାଜର ହେବା ପରିବର୍ତ୍ତେ ପ୍ରତିନିଧିଙ୍କ ଜରିଆରେ ମାମଲାରୁ ନିଜ ନାମକୁ ବାଦ୍ ଦେବାକୁ କମିଶନଙ୍କୁ ନିବେଦନ କରିଛନ୍ତି ଓଟିଭି ଏମଡି ଜଗିମଙ୍ଗତ ପଣ୍ଡା । ଜଗିଙ୍କ ଆବେଦନକୁ ଖାରଜ କରିବା ସହ ମାମଲାକୁ ବିଚାରଣା ବିବେଚିତ କରିଛନ୍ତି କମିଶନ ।
ଓଟିଭି କାର୍ଯ୍ୟାଳୟରେ ନିଜ କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦିଆଯିବା ଘଟଣାରେ ଅଡୁଆରେ ଓଟିଭି କର୍ତ୍ତୃପକ୍ଷ । ଆଭ୍ୟନ୍ତରୀଣ ତଦନ୍ତ କମିଟି ଆଳରେ ଘଟଣାକୁ ଚପାଇବାକୁ ଉଦ୍ୟମ ପଦାରେ ପଡ଼ିଲା । ତଦନ୍ତ ସମ୍ପର୍କରେ ମହିଳା କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତଥ୍ୟରେ ତାଳମେଳ ନାହିଁ । ସେପଟେ ବାରମ୍ବାର ନୋଟିସ ପାଇ ଅଭିଯୋଗକାରିଣୀ ହାଜର ହେଉଥିଲେ ହେଁ ସମନ ପାଇ ହାଜର ହେଉନାହାନ୍ତି ଓଟିଭି କର୍ତ୍ତୃପକ୍ଷ । ପୀଡ଼ିତାଙ୍କ ମାଆଙ୍କୁ କାର୍ଯ୍ୟାଳୟରେ ମାନସିକ ନିର୍ଯାତନା ଘଟଣାର ତଦନ୍ତରେ ସହଯୋଗ କରିବା ପରିବେର୍ତ୍ତ ଘଟଣାକୁ ଚପାଇ ଦେବାକୁ ଓଟିଭି ଏମଡି ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରିଣୀଙ୍କ ଓକିଲ ।
ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ପୀଡିତାଙ୍କ ମାଆ ଓଟିଭିର ଜଣେ ପୂର୍ବତନ କର୍ମଚାରୀ । ତାଙ୍କୁ ଓଟିଭି କାର୍ଯ୍ୟାଳୟରେ ମାନସିକ ନିର୍ଯାତନା ଦିଆଯାଇଥିବା ସେ ଅଭିଯୋଗ କରି ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଘଟଣାରେ ଓଟିଭି ପକ୍ଷରୁ ଗଠିତ ଆଭ୍ୟନ୍ତରୀଣ କମିଟିର ତଦନ୍ତ ରିପୋର୍ଟ ଓ ନିଜ ପକ୍ଷ ରଖିବାକୁ କମିଶନ ଜାରି କରିଥିଲେ ସମନ । ଓଟିଭିର ଏମଡି ଜଗିମଙ୍ଗତ ପଣ୍ଡା, ସିଇଓ ନିହାର ରଂଜନ ଭୂୟାଁ ଓ ବିଶାଖା କମିଟିର ଅଧ୍ୟକ୍ଷା କସ୍ତୁରୀ ରାୟଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ହୋଇଥିଲା ନୋଟିସ । ନିର୍ଦ୍ଧାରିତ ସମୟରେ କେହି ହେଲେ ବି ହାଜର ନହୋଇ ନିଜ ପ୍ରତିନିଧି ପଠାଇ ଦେଇଥିଲେ । ଯାହାକୁ ନେଇ କମିଶନ କ୍ଷୁବ୍ଧ ହୋଇଛନ୍ତି ।
ସେପଟେ ମାମଲାରୁ ନିଜ ନାମକୁ ବାଦ୍ ଦେବାକୁ ଜଗି କରିଥିବା ଆବେଦନକୁ ଖାରଜ କରିବା ସହିତ ମାମଲାକୁ ବିଚାର ଯୋଗ୍ୟ କରିଛନ୍ତି କମିଶନ । ସେପଟେ ଆଭ୍ୟନ୍ତରୀଣ କମିଟି ବିଶାଖାର ତଦନ୍ତ ଉପରଠଉରିଆ ଥିବା ଦର୍ଶାଇଛନ୍ତି କମିଶନ । ଓଟିଭି କର୍ତ୍ତୃପକ୍ଷଙ୍କ ଏଭଳି ମନୋଭାବକୁ ନେଇ ଚିନ୍ତାରେ ନାବାଳିକା ଗଣଦୁଷ୍କର୍ମ ପୀଡିତା ଓ ମାନସିକ ନିର୍ଯାତନାର ଶିକାର ତାଙ୍କ ମାଆ । ଅପେକ୍ଷା କେବଳ ମହିଳା କମିଶନଙ୍କ ପରବର୍ତ୍ତି ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନକୁ ।