ବ୍ରହ୍ମଗିରି ବାଲିହରିଚଣ୍ଡୀ ପୀଠ ଜଙ୍ଗଲରେ ଚାଞ୍ଚଲ୍ୟ, ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ। ବ୍ରହ୍ମଗିରି ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲିହରିଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ଏ ସଂପର୍କରେ କିନ୍ତୁ ମୁହଁ ଖୋଲୁନି ପୋଲିସ। ଘଟଣାରେ ବ୍ରହ୍ମଗିରି ଓ ସଦର ଥାନା ପୋଲିସ ୩ ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ, ଆଉ ଜଣେ ଫେରାର୍ ଥିବା ସୂଚନା ମିଳିଛି। ଅପରପକ୍ଷେ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ ଶନିବାର ଦିନ ୧୧ଟାରେ ପ୍ରେମୀଯୁଗଳ ବାଲିହରଚଣ୍ଡୀ ବୁଲିବାକୁ ଆସିଥିଲେ। ମା’ଙ୍କୁ ଦର୍ଶନ କରିସାରିବା ପରେ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ୪ଜଣ ଦୁର୍ବୃତ୍ତ ସେମାନଙ୍କୁ ପିଛା କରିଥିଲେ। ସମୁଦ୍ର କୂଳକୁ ଯିବାକୁ ହେଲେ ଏକ ନଦୀ ପାର୍ ହେବାକୁ ପଡ଼ିଥାଏ। ସମ୍ପୃକ୍ତ ଯୁବକମାନେ ଉଭୟଙ୍କୁ ଡଙ୍ଗାରେ ନଦୀ ପାର୍ କରାଇଥିଲେ। କିନ୍ତୁ ନଦୀ ଅପରପାର୍ଶ୍ବରେ ପହଞ୍ଚିବା ପରେ ଯୁବକଙ୍କ ସ୍ୱଭାବ ବଦଳି ଯାଇଥିଲା। ସେମାନେ ପ୍ରେମିକକୁ ଏକ ଗଛରେ ବାନ୍ଧି ତାଙ୍କ ସାମ୍ନାରେ ପ୍ରେମିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ପ୍ରେମୀଯୁଗଳ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ସେମାନେ କିଛି ଶୁଣିନଥିଲେ। ପ୍ରାୟ ଅଧଘଣ୍ଟ ଧରି ୪ ଯୁବକ ପାଶବିକ ଅତ୍ୟାଚାର କରି ଚାଲିଥିଲେ। ଏହାପରେ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ। ପରେ ପ୍ରେମୀଯୁଗଳ ବାଲିହରଚଣ୍ଡୀ ପୀଠକୁ ଆସି ଏ ବାବଦରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଖବର ପାଇ ସଦର ଏସ୍ଡିପିଓ ରବିନାରାୟଣ ଭଞ୍ଜ, ସ୍ପେଶାଲ ସ୍କ୍ୱାଡ୍, ବ୍ରହ୍ମଗିରି ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ୩ଜଣଙ୍କୁ କାବୁ କରିଥିବା ବେଳେ, ଅନ୍ୟ ଜଣେ ଯୁବକ ଫେରାର୍ ହୋଇଯାଇଛି।
ପୋଲିସ ମଧ୍ୟ ଯଥାସମ୍ଭବ ଏହି ଘଟଣାକୁ ଚାପିଦେବାକୁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ହେଉଛି। ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା। ବିଜେପି ସରକାରରେ ମହିଳା ସୁରକ୍ଷିତ ନଥିବା ଅଭିଯୋଗ କରିଛନ୍ତି ସଞ୍ଜୟ। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ, ପ୍ରତିଦିନ ବଢ଼ି ଚାଲିଛି ଅପରାଦ। ବାଲେଶ୍ୱର, ପୁରୀ ଓ ବଳଙ୍ଗା ଘଟଣା ପରେ ବ୍ରହ୍ମଗିର ଅଞ୍ଚଳର ଏହି ଭୟଙ୍କର ଖବର ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ପୁରୀ ଜିଲ୍ଲା ବାଲିହରଚଣ୍ଡୀ ଆଜି ନିରାପଦ ନୁହେଁ। ତେଣୁ ଏଠାରେ ଏକ ଫାଣ୍ଡି ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ସଞ୍ଜୟ ଦାସ ବର୍ମା।