ଗାନ୍ଧିଜୀଙ୍କୁ ମନେ ପକାଇଲେ ଓଡ଼ିଶାବାସୀ

ନନ୍ଦିଘୋଷ ବ୍ୟୁରୋ: ଜାତିର ପିତା ମହାତ୍ମା ଗାନ୍ଧି ପ୍ରଥମଥର ଲାଗି ୧୯୨୧ ରେ ଓଡିଶା ଆସିଥିଲେ । ଏହି ଅବସରରେ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧିଜୀ କଟକ ପୁରୀଘାଟ କାଠଯୋଡ଼ି ବାଲିରେ ଏକ ବିଶାଳ ସଭାରେ ଯୋଗ ଦେଇଥିଲେ। ପରେ ଓଡିଶାର ବିଭିନ୍ନ ଅଂଚଳ ବୁଲି ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ବାଧୀନତା ଆନ୍ଦୋଳନକୁ ଶାଣିତ କରିଥିଲେ । ଗାନ୍ଧିଜୀଙ୍କ ସେହି ପୁରୀଘାଟ ସଭାକୁ ସ୍ମରଣୀୟ କରିବା ପାଇଁ ବେଲଭ୍ୟୁ ଗାନ୍ଧି ସ୍ମାରକୀ ପାର୍କରେ ପ୍ରଶାସନ ଓ ଗାନ୍ଧିବାଦୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଗାନ୍ଧିଜୀଙ୍କୁ ମନେ ପକାଇଲେ ଓଡ଼ିଶାବାସୀ । କଟକରେ ଗାନ୍ଧି ସ୍ମୃତିରେ କାର୍ଯ୍ୟକ୍ରମ । ସ୍ମୃତିଚାରଣ କଲେ ଗାନ୍ଧିବାଦୀ । ଭାରତୀୟ ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର ଜାତିର ପିତା ମହାତ୍ମା ଗାନ୍ଧି ୧୯୨୧ ମସିହା ମାର୍ଚ୍ଚ ମାସ ୨୩ ତାରିଖରେ ପ୍ରଥମଥର ଲାଗି କଟକ ଆସିଥିଲେ । ଏହି ଅବସରରେ କାଠଯୋଡ଼ିର ନଦୀକୂଳରେ ଏକ ବିରାଟ ସାଧାରଣ ସଭାରେ ଯୋଗ ଦେଇଥିଲେ । ଅସହଯୋଗ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କ ଏହି ଗସ୍ତ ଓ ସଭା ସ୍ବାଧୀନତା ଆନ୍ଦୋଳନକୁ ଆହୁରି ଶାଣିତ କରିଥିଲା । ସଭାରେ ୧୦ ହଜାର ଲୋକ ଯୋଗ ଦେଇ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ସେହି ସଭାକୁ ୧୦୩ ବର୍ଷ ପୂର୍ତ୍ତି ଅବସରରେ କଟକ ବେଲଭ୍ୟୁରେ ଥିବା ଗାନ୍ଧି ସ୍ମାରକୀ ପାର୍କରେ ଗାନ୍ଧିବାଦୀ ଏକାଠି ହୋଇ ଗାନ୍ଧିଜୀଙ୍କ ସ୍ମୃତିଚାରଣ କରିଛନ୍ତି ।

ବଡକଥା ହେଉଛି ଗାନ୍ଧିଜୀଙ୍କ କଟକ ପୁରୀଘାଟ ସଭା ଓ ଓଡିଶା ଗସ୍ତ ବେଳେ ସେ ଗରିବ ଲୋକମାନଙ୍କ ଖାଦ୍ଯାଭାବକୁ ଅତି ନିକଟରୁ ଦେଖିଥିଲେ । ଏହା ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ଏହା ପରେ ସେ ଆଉ ପୋଷାକ ପିନ୍ଧିଲେ ନାହିଁ । କେବଳ ନିଜର ଧୋତିକୁ ଦୁଇ ଫାଳ କରି ଖଣ୍ଡେ ପିନ୍ଧିଲେ ଓ ଆଉ ଖଣ୍ଡେ କାନ୍ଧରେ ପକାଇଲେ । ଏହାସହ କଟକ ଗସ୍ତ ବେଳେ ତାଙ୍କ ପାଦରେ ଆଘାତ ଲାଗିବାରୁ ଏଠାରେ ତାଙ୍କୁ ଏକ ଆଶ୍ରାବାଡି ମିଳିଥିଲା, ଯାହାକୁ ସେ ସବୁଦିନ ନିଜ ସାଥିରେ ରଖିଥିଲେ । ଗାନ୍ଧିଜୀଙ୍କ ସେହି ଦିନକୁ ସ୍ମରଣପୂର୍ବକ ପୁଷ୍ପମାଲ୍ଯ ଅର୍ପଣ କରାଯାଇ ପାର୍କର ବିକାଶ ପାଇଁ ପ୍ରତିଶ୍ରୁତି ଦିଆଯାଇଛି ।