ରାଷ୍ଟ୍ରପିତାଙ୍କୁ ଅପମାନ ବିରୋଧରେ ପ୍ରତି ଜିଲ୍ଲା ଯିବ ଗାନ୍ଧି ଶାନ୍ତି ପ୍ରତିଷ୍ଠାନ

1 min read

ଭୁବନେଶ୍ୱର: ଜାନୁଆରୀ ୨୩ ନେତାଜୀ ଜୟନ୍ତୀଠାରୁ ଗାନ୍ଧିଜୀଙ୍କ ବଳିଦାନ ଦିବସ ୩୦ ଜାନୁଆରୀ ପର୍ଯ୍ୟନ୍ତ ସାମ୍ପ୍ରଦାୟୀକ ଶକ୍ତିଙ୍କ ବିରୋଧରେ ରାଷ୍ଟ୍ରୀୟ ଅଭିଯାନ “ ରାଷ୍ଟ୍ରପିତାଙ୍କ ଅପମାନ- ସହିବ ନାହିଁ ହିନ୍ଦୁସ୍ଥାନ ” ଅନୁଷ୍ଠିତ ହେବ । ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶାର ସବୁ ଜିଲ୍ଲାରେ ଏହି ଅଭିଯାନ ଚାଲିବ । ରାଷ୍ଟ୍ର ପିତାଙ୍କୁ ଅପମାନ କରୁଥିବା ଧର୍ମାନ୍ଧ ଓ ସାମ୍ପ୍ରଦାୟିକ ଶକ୍ତିମାନଙ୍କୁ ଦୃଢ ଜବାବ ଦିଆଯିବ ବୋଲି ଆଜି ଲୋହିଆ ଏକାଡ଼େମୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି ।

ଗତ କିଛିଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ହରିଦ୍ବାର ଓ ରାୟପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅଧର୍ମୀମାନେ ଧର୍ମ ନାଁ ରେ ଅଧର୍ମ ସଭା କରି ସଂଖ୍ୟାଲଘୁଙ୍କ ବିରୋଧରେ ବିଷୋଦଗାର କରିବା ସହ ରାଷ୍ଟ୍ରପିତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାକୁ ଲାଗିଥିଲେ । ଭାରତ ଭଳି ଏକ ମହାନ ଦେଶର ସଂସ୍କୃତି, ଭାଇଚାରା, ବିବିଧତା, ଏକତା ଓ ଅଖଣ୍ଡତା ପ୍ରତି ଏହା ବିପଦ ।

କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରଙ୍କ ପ୍ରୋତ୍ସାହନରେ ଦେଶ ବିଭାଜନକାରୀମାନେ ଏଭଳି କରୁଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ସଂଗ୍ରାମ ଡାକରା ଦେଇଛି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ । ଏହି ସାତଦିନ ମଧ୍ୟରେ ଗାନ୍ଧି ପ୍ରେମୀମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲିଫଲେଟ୍ ବାଣ୍ଟି ପ୍ରଚାର କରିବେ ।

Leave a Reply