ପ୍ରକୃତିର ସୌନ୍ଦର୍ଯ୍ୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଗଣ୍ଡାହାତୀ ଜଳପ୍ରପାତ

ଗଜପତି: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନ ସ୍ଥଳୀରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ବ୍ୟସ୍ତ ବହୁଳ ଜୀବନରୁ ବାହାରି ନିଜ ଆତ୍ମୀୟ, ବନ୍ଧୁ ପରିବାର ସହ ଖୁସି ମନାଇବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଛୁଟୁଛନ୍ତି ଲୋକେ । କର୍ମମୟ ଜୀବନରୁ ବାହାରି କିଛି ସମୟ ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ହଜାଇଦେଉଛନ୍ତି । ଏହି ଋତୁରେ ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳପ୍ରପାତ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ସାଜିଛି ।

ପ୍ରାକୃତିକ ପରିବେଶର ଗନ୍ତାଘର ଗଜପତି । ଜିଲ୍ଲାରେ ରହିଛି ସୁନ୍ଦର ସୁନ୍ଦର ପର୍ଯ୍ୟଟନ ସ୍ଥଳୀ । ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରୁଛି ଗଣ୍ଡାହାତୀ ଜଳ ପ୍ରପାତ  । ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ରହିଛି ଏହି ସୁନ୍ଦର ଜଳପ୍ରପାତ  । ପାହାଡ଼ ପର୍ବତଘେରା ସବୁଜିମା ପରିବେଶ ମଧ୍ୟରେ ରହିଛି ଜଳପ୍ରପାତ  । ପ୍ରପାତରେ ଗାଧୁଆ ପୋଖରୀ ସାଙ୍ଗକୁ ଶିଶୁ ଉଦ୍ୟାନ ବହୁ ଆକର୍ଷଣୀୟ ହୋଇଛି । ବିଶେଷ କରି ନୂଆ ବର୍ଷରେ ଏଠାରେ ବଣଭୋଜିର ମଜା ଉଠାଇବା ପାଇଁ ସବୁ ବର୍ଗର ଲୋକେ ଛୁଟି ଆସନ୍ତି ।

ଏହି ପର୍ଯ୍ୟଟନସ୍ଥଳୀର ବିକାଶ ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ରାସ୍ତା ନିର୍ମାଣ କରାଯିବା ସହ ଏଠାରେ ଶିଶୁ ଉଦ୍ୟାନ, ପାନୀୟ ଜଳ ଭଳି ବିଭିନ୍ନ ମୌଳିକ ସୁବିଧାର ବ୍ୟବସ୍ଥା କରାଯାଇଛି। ଜଳପ୍ରପାତର  ତଳଭାଗର ବିକାଶ ହୋଇଥିବା ବେଳେ ଉପରଭାଗର ବିକାଶ କରିବା ଆବଶ୍ୟକ ରହିଛି । ଗଣ୍ଡାହାତୀ ଭଳି, ସୁଉଚ୍ଚ ମହେନ୍ଦ୍ରଗିରି ଶୈବ ପୀଠ,  ଗୁଦଗୁଦା ଜଳପ୍ରପାତ ଭଳି ଅନେକ ପର୍ଯ୍ୟଟନ ସ୍ଥଳନୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ।