ଖତ ଖାଉଛି ଜବତ ହୋଇଥିବା କୋଟିକୋଟି ଟଙ୍କାର ଗାଡ଼ି

ଗଜପତି : ଗଦା ହୋଇ ପଡିଛି ଶହଶହ ଗାଡି । ଖରାବର୍ଷା ଖାଇ ହେଲାଣି ଖତ । କର୍ତ୍ତୃପକ୍ଷଙ୍କ ନାହିଁ ନିଘା ।.. ..ଏହା କୌଣସି କବାଡିଖାନାର ଦୃଶ୍ଯ ନୁହେଁ । ଏ ହେଉଛି ସରକାରୀ କାର୍ଯ୍ଯାଳୟ ପରିସରର ଅବସ୍ଥା । ପରିବହନ କାର୍ଯ୍ୟାଳୟ ହେଉ ଅବା ଅବକାରୀ କାର୍ଯ୍ୟାଳୟ କି ଥାନା । ସବୁଠି ଖତ ଖାଉଛି ଦୁଇ ଚକିଆ ଠାରୁ ଆରମ୍ଭ କରି ବଡବଡ ଟ୍ରକ ଭଳି ଯାନବାହନ । ଏ ସମସ୍ତ ଗାଡି ଗୁଡିକ ବିଭିନ୍ନ ମାମଲାରେ ଜବତ କରାଯାଇଥିଲା । ହେଲେ ଗାଡି ମାଲିକ ମୁକୁଳାଇ ନପାରିବାରୁ ତାହା ପଡି ପଡି ନଷ୍ଟ ହେଉଛି । ଅନେକ କ୍ଷେତ୍ରରେ ନକଲି ନମ୍ବର ବ୍ୟବହାର ହୋଇଥିବା ଗାଡି ପୁଣି କେତେକ କ୍ଷେତ୍ରରେ ଅବଧି ଶେଷ ହୋଇଥିବା ଗାଡିକୁ ଛାଡି ଚାଲିଯାଉଛନ୍ତି ଚାଳକ । ପୋଲିସ କିମ୍ବା ପରିବହନ ବିଭାଗ ପ୍ରକୃତ ମାଲିକ ପାଖରେ ପହଞ୍ଚି ନପାରିବାରୁ ଗାଡି ଗୁଡିକୁ ହସ୍ତାନ୍ତର ହୋଇପାରୁନାହିଁ । ଦିନକୁ ଦିନ ଏଭଳି ମାମଲା ବୃଦ୍ଧି ପାଉଥିବାରୁ ଜବତ ଗାଡି ସଂଖ୍ଯା ବଢି ଚାଲିଛି । ଗାଡି ରଖିବାକୁ କାର୍ଯ୍ଯାଳୟ ପରିସରରେ ସ୍ଥାନ ନଥିବାରୁ ଖୋଲା ସ୍ଥାନରେ ପଡି ନଷ୍ଟ ହେଉଛି ମୂଲ୍ଯବାନ ଗାଡି ।
କେତେକ କ୍ଷେତ୍ରରେ ଅଦାଲତରେ ମାମଲା ଦୀର୍ଘ ଦିନ ଧରି ଚାଲୁଥିବା ବେଳେ ସଂପୃକ୍ତ ଗାଡିଗୁଡିକ ହସ୍ତାନ୍ତର ନହୋଇପାରି ପଡିରହିଛି । ଫଳରେ ବିଭିନ୍ନ କାର୍ଯ୍ଯାଳୟରେ ନୂଆ ପୁରୁଣା ଗାଡିଗୁଡିକ ଖତ ଖାଉଛି । ଦୁର୍ଘଟଣାଗ୍ରଗସ୍ତ ଗାଡିଗୁଡିକ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡିଥିବା ବେଳେ ତାହା ଉପରେ ଲତାବୁଦା ମାଡିଗଲାଣି । ଅନ୍ଯପଟେ କୋଟିକୋଟି ଟଙ୍କା ମୂଲ୍ଯର ଗାଡିଗୁଡିକ ନଷ୍ଟ ହେଉଥିବା ବେଳେ ଗାଡିଗୁଡିକ ସୁରକ୍ଷିତ ଭାବେ ରଖିବାକୁ ସରକାରଙ୍କ ପକ୍ଷରୁ କୌଣସି ବ୍ଯବସ୍ଥା ନାହିଁ । ଏପଟେ ଜବତ ଗାଡିଗୁଡିକୁ ଯଥାଶୀଘ୍ର ହସ୍ତାନ୍ତର କରିବାକୁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଯଥା ସମ୍ଭବ ସମସ୍ତ ଜବତ ଗାଡିଗୁଡିକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ । କେବେ ଜବତ ହୋଇଥିବା ଗାଡି ଗୁଡିକ ଲୋକଙ୍କୁ ହସ୍ତାନ୍ତର କରାଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।